ବଢ଼ିଛି ଧାନ ସଂଗ୍ରହ

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ବୃଦ୍ଧି ପାଇଛି। ୨୦୧୯ ଡିସେମ୍ବର ୨୦ ତାରିଖ ସୁଦ୍ଧା ରାଜ୍ୟରୁ ମୋଟ ୧୧୪ ଲକ୍ଷ ୫୫ ହଜାର ୪୪୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ୫୬ ପ୍ରତିଶତ ଅଧିକ ରହିଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୭୩ ଲକ୍ଷ ୩୬ ହଜାର ୨୭୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ଅନ୍‌ଲାଇନ ଚାଷୀ ପଞ୍ଜୀକରଣ, ପି-ପାସ, ଆଗୁଆ ଟୋକନ ବ୍ୟବସ୍ଥା ଏବଂ ଧାନ ସଂଗ୍ରହ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ବିଭାଗ ପକ୍ଷରୁ ଖୋଲାଯାଇଥିବା କଲ୍‌ ସେଣ୍ଟର ଯୋଗୁ ଚାଷୀମାନେ ସିଧାସଳଖ ମୋବାଇଲରେ କଥାବାର୍ତ୍ତା ହୋଇ ଧାନ ସଂଗ୍ରହ କେନ୍ଦ୍ରର ବ୍ୟବସ୍ଥା, ଆଗୁଆ ଟୋକନ ପ୍ରଦାନ ଇତ୍ୟାଦି ବିଷୟରେ ଜାଣି ପାରୁଛନ୍ତି। ମତାମତ ସଂଗ୍ରହ କରାଯାଇ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ବରଗଡ ଜିଲାରେ ଶୁକ୍ରବାର ସୁଦ୍ଧା ସର୍ବାଧିକ ୩୮ ଲକ୍ଷ ୧୧ ହଜାର ୮୯୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ବଲାଙ୍ଗୀରରେ ୮ ଲକ୍ଷ ୯୯ ହଜାର ୬୩୪ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ସେହିପରି ଝାରସୁଗୁଡାରେ ୧ ଲକ୍ଷ ୬ ହଜାର ୭୬୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ କଳାହାଣ୍ଡି ଜିଲାରେ ୧୬ ଲକ୍ଷ ୩୨ ହଜାର ୯୯୯ କୁଇଣ୍ଟାଲ, ମାଲକାନଗିରି ଜିଲାରେ ୪ ଲକ୍ଷ ୮୯ ହଜାର ୪୦ କୁଇଣ୍ଟାଲ, ନୂଆପଡାରେ ୩ ଲକ୍ଷ ୯୯ ହଜାର ୪୩୯ କୁଇଣ୍ଟାଲ, ରାୟଗଡାରେ ୧ ଲକ୍ଷ ୮୯ ହଜାର ୪୦ କୁଇଣ୍ଟାଲ, ସମ୍ବଲପୁରରେ ୧୨ ଲକ୍ଷ ୨ ହଜାର ୩୨୭ କୁଇଣ୍ଟାଲ, ସୁବର୍ଣ୍ଣପୁରରେ ୧୧ ଲକ୍ଷ ୮ ହଜାର ୪୪୦ କୁଇଣ୍ଟାଲ ଏବଂ ସୁନ୍ଦରଗଡରେ ୨ ଲକ୍ଷ ୧୬ ହଜାର ୩୦୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଗତ ବର୍ଷ ଡିସେମ୍ବର ୨୦ ତାରିଖ ସୁଦ୍ଧା ସୁନ୍ଦରଗଡରେ ୯୫ ପ୍ରତିଶତ, ସୁବର୍ଣ୍ଣପୁର ୭୦ ପ୍ରତିଶତ, ସମ୍ବଲପୁର ୨୦ ପ୍ରତିଶତ, ରାୟଗଡା ୧୧ ପ୍ରତିଶତ, ମାଲକାନଗିରିରେ ୫୪ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share