ବଢ଼ିଛି ଭାରତୀୟଙ୍କ ଆୟୁଷ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ହିଁ ସମ୍ପଦ। ଶରୀର ସୁସ୍ଥ ରହିଲେ ଜଣେ ମଣିଷ ମାନସିକସ୍ତରରେ ମଧ୍ୟ ସୁସ୍ଥ ରହିଥାଏ। ଯୋଗ, ପ୍ରାଣାୟମ ଆଦି କରି ଲୋକମାନେ ଶରୀର ସୁସ୍ଥ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏବେକାର କର୍ମମୟ ଜୀବନରେ ଅନେକ ଲୋକ ଶରୀର ପ୍ରତି ଧ୍ୟାନ ଦେଇନଥାନ୍ତି। ଫଳରେ ଯୁବକାବସ୍ଥାରୁ ହିଁ ଅନେକଙ୍କୁ ନାନା ରୋଗବ୍ୟାଧିର ସମ୍ମୁଖୀନ ହେବାକୁ ପଡୁଥିବା ଲକ୍ଷ୍ୟ କରାଯାଏ। ଏହିସବୁ ମଧ୍ୟରେ ନ୍ୟାଶନାଲ ହେଲ୍‌ଥ ସର୍ଭେ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ୫ ଦଶକ ଭିତରେ ଭାରତୀୟଙ୍କ ଆୟୁଷ ୧୯ବର୍ଷ ବୃଦ୍ଧି ପାଇଛି। ୧୯୭୦-୭୫ ମଧ୍ୟରେ ଜନ୍ମ ହୋଇଥିବା ଶିଶୁଙ୍କ ଆୟୁଷ ୪୯ବର୍ଷ ୮ମାସ ୧୨ ଦିନ ହୋଇଥିବା ବେଳେ ୨୦୧୨-୧୬ ମଧ୍ୟରେ ଜନ୍ମିତ ଶିଶୁ ୬୯ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୯୮୦ ପର୍ଯ୍ୟନ୍ତ ଭାରତୀୟ ମହିଳାଙ୍କ ଆୟୁଷ ପୁରୁଷଙ୍କ ତୁଳନାରେ କମ୍‌ ଥିଲା। କେବଳ ସହରରେ ବାସ କରୁଥିବା ମହିଳାମାନେ ପୁରୁଷଙ୍କଠାରୁ ଅଧିକ ବର୍ଷ ବଞ୍ଚୁଥିଲେ। ୧୯୭୦ରେ ଜନ୍ମିତ ଝିଅଙ୍କ ତୁଳନାରେ ପୁଅମାନେ ୬ମାସ ଅଧିକ ସମୟ ବଞ୍ଚୁଥିଲେ। କିନ୍ତୁ ୨୦୧୫ରେ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଝିଅମାନେ ପୁଅଙ୍କ ତୁଳନାରେ ୨ବର୍ଷ ୭ମାସ ୬ଦିନ ଅଧିକ ବଞ୍ଚତ୍ବେ ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି।

Share