ବଢ଼ିପାରେ ଲକ୍‌ଡାଉନ୍‌ ଅବଧି: ମୋଦି ଦେଲେ ସଙ୍କେତ

ନୂଆଦିଲ୍ଲୀ,୮।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ୨୧ ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାର ଅବଧି ଏପ୍ରିଲ ୧୪କୁ ଶେଷ ହେଉଥିବା ବେଳେ ଲକ୍‌ଡାଉନ୍‌ ହଟିବା ନା ଏହାର ଅବଧି ବୃଦ୍ଧି ପାଇବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ବୁଧବାର ଦିଲ୍ଲୀରେ ବସିଥିବା ଏକ ସର୍ବଦଳୀୟ ବୈଠକରେ ଏହାର ଅବଧି ବୃଦ୍ଧି ନେଇ ସଙ୍କେତ ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସର୍ବଦଳୀୟ ବୈଠକ କରିଥିଲେ। ଏହି ବୈଠକରେ ବିରୋଧୀ ଦଳର ନେତା ସାମିଲ ହୋଇଥିବା ବେଳେ କରୋନା ମୁକାବିଲା ସହ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏଥିରେ ଲକ୍‌ଡାଉନ୍‌ର ଅବଧିକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ମୋଦି ସଙ୍କେତ ଦେଇଥିବା ଜଣାପଡ଼ିଛି। ମୋଦି କହିଛନ୍ତି, କରୋନା ବିରୋଧରେ ଏହା ଦୀର୍ଘ ସମୟର ଯୁଦ୍ଧ। ସମସ୍ତଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରଥମ ପ୍ରାଥମିକତା। ବର୍ତ୍ତମାନ ଦେଶ ସାମାଜିକ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଛି। ଏଭଳି ସ୍ଥିତିରେ କଡ଼ା ନିଷ୍ପତ୍ତି ଓ ସତର୍କତା ରହିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଏପ୍ରିଲ ୧୧ତାରିଖରେ ସକାଳ ୧୧ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରିବେ। ଏହାପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସୂଚନା ମୁତାବକ ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେତେକ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ।

Share