Categories: ବାଣିଜ୍ୟ

ବଢ଼ିବ ଚିନି ଦାମ: ଉତ୍ପାଦନ କମିଛି ୨୨ ପ୍ରତିଶତ

ନୂଆଦିଲ୍ଲୀ,୪।୩: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୨୨ ପ୍ରତିଶତ କମିଛି। ଗତ ୫ ମାସ ଧରି ଏଭଳି ସ୍ଥିତି ଜାରି ରହିଛି। ତେଣୁ ଆଗାମୀ ଦିନରେ ଚିନି ଦାମ ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି। ଭାରତୀୟ ଚିନିକଳ ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଫେବୃୟାରୀ ୨୯ ସୁଦ୍ଧା ୧୯୪.୮୪ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହୋଇଛି। ଗତବର୍ଷ ଏହି ସମୟରେ ଦେଶର ୫୨୦ଟି ଚିନିକଳରେ ୨୪୯.୩୦ ଲକ୍ଷ ଟନ୍‌ ଚିନି ଉତ୍ପାଦିତ ହୋଇଥିଲା। ୬୮ଟି ଚିନି କଳରେ ଉତ୍ପାଦନ ବନ୍ଦ ରହିଥିବା ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ମହାରାଷ୍ଟ୍ରରେ ଚଳିତ ଋତୁରେ ଚିନି ଉତ୍ପାଦନ ୫୦.୭୦ ଲକ୍ଷ ଟନ୍‌ ରହିଛି। ଗତବର୍ଷ ଏହି ସମୟରେ ଏଠାରେ ୯୨.୮୮ ଲକ୍ଷ ଟନ ଚିନି ଉତ୍ପାଦିତ ହୋଇଥିଲା। ଅପରପକ୍ଷରେ ରାଜ୍ୟର ୧୪୫ ଚିନିକଳ ମଧ୍ୟରୁ ୨୫ଟିରେ ଉତ୍ପାଦନ ବନ୍ଦ ରହିଛି। ସେହିପରି ଉତ୍ତରପ୍ରଦେଶରେ ଫେବୃୟାରୀ ୨୯ ସୁଦ୍ଧା ୭୩.୮୭ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଛି। ଗତ ବର୍ଷ ଏହି ସମୟ ସୁଦ୍ଧା ଏଠାରେ ୭୬.୮୬ ଲକ୍ଷଟନ ଚିନି ଉତ୍ପାଦିତ ହୋଇଛି। କର୍ନାଟକରେ ଚଳିତ ଋତୁରେ ଚିନି ଉତ୍ପାଦନ ୩୨.୬୦ ଲକ୍ଷ ଟନ ରହିଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୪୧.୭୩ ଳକ୍ଷ ଟନ ଚିନି ଉତ୍ପାଦନ ହୋଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share