ବଢ଼ିବ ଟୋଲ ଫି: ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଲା ଓବିସିସି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ। ଗାଡି ଚାଳକଙ୍କୁ ଅଧିକ ଟିକସ ଦେବାକୁ ପଡିବ।୨୦୦୬ରେ ଧାର୍ଯ୍ୟ ହୋଇଥିବା ଟୋଲ ଟିକସରେ ସଂଶୋଧନ କରାଯିବ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି)ଏ ନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି। ଓଡ଼ିଶା ରାଜ୍ୟ ଟୋଲସ୍‌ ରୁଲ ୨୦୧୧ ଅନୁସାରେ ଏହି ଟିକସ ଧାର୍ଯ୍ୟ କରାଯିବ। ପୂର୍ତ୍ତ ବିଭାଗ ଅଧୀନରେ ୨୯ଟି ଟୋଲ ଗେଟ୍‌ ଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ୭ଟି ଟୋଲ ଗେଟ। ଏସବୁରୁ ବାର୍ଷିକ ୨୪ରୁ ୨୫ କୋଟି ଟଙ୍କା ଆଦାୟ ହେଉଛି। ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଅଧିକ ଟଙ୍କା ଦରକାର ପଡୁଥିବାରୁ ଟୋଲ ଫି’ରେ ସଂଶୋଧନ କରାଯିବ ବୋଲି ଓଡିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାଶ କହିଛନ୍ତି। ୨୦୦୬ରେ ଧାର୍ଯ୍ୟ ମୂଲ୍ୟ ଅନୁସାରେ ୩ ଚକିଆ ଯାନ ପାଇଁ ଦୈନିକ ୭ ଟଙ୍କା, କାର ଜିପ ଓ ଅନ୍ୟାନ୍ୟ ହାଲକା ଯାନ ପାଇଁ ୧୫ ଟଙ୍କା, ବସ, ମିନିଟ୍ରକ, ଟ୍ରାକ୍ଟର ଏବଂ ପିକ୍‌ଅପ ଭ୍ୟାନ ଭଳି ଯାନ ପାଇଁ ୩୦ ଟଙ୍କା ଦେବାକୁ ପଡୁଛି। ଭାରିଯାନ ପାଇଁ ଦୈନିକ ୩୦୦ ଟଙ୍କା ଟୋଲ ଫି ରହିଛି। ସରକାରଙ୍କ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି।

Share