ବଢ଼ିବ ଶୀତ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରକୋପ କମିବା ପରେ ଶନିବାରଠାରୁ ରାଜ୍ୟରେ ଶୀତ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପରିଲକ୍ଷିତ ହୋଇଥିବାବେଳେ ରାତିରେ ତାପମାତ୍ରା ମଧ୍ୟ କମୁଛି। ରାଜ୍ୟର ୩ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଦାରିଙ୍ଗ୍‌ବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି। ସୁନ୍ଦରଗଡ଼ରେ ତାପମାତ୍ରା ୧୪ ଡିଗ୍ରୀକୁ ଖସିଆସିଥିବାବେଳେ କୋରାପୁଟରେ ୧୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଅନୁଗୋଳ ଓ ଟିଟିଲାଗଡ଼ରେ ତାପମାତ୍ରା ୧୭ଡିଗ୍ରୀ ଥିବାବେଳେ ସୁବର୍ଣ୍ଣପୁରରେ ୧୭.୬, ଫୁଲବାଣୀରେ ୧୮.୮, କେନ୍ଦୁଝରରେ ୧୯, ଭବାନୀପାଟଣାରେ ୧୯.୩, ସମ୍ବଲପୁରରେ ୧୯.୫ ଏବଂ ଝାରସୁଗୁଡାରେ ୧୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ‘ବୁଲ୍‌ବୁଲ୍‌’ର ପ୍ରଭାବ ଯୋଗୁ ବଙ୍ଗୋପସାଗରରୁ ଏବେ ସାମୁଦ୍ରିକ ପବନ ବହୁଥିବାରୁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ରବିବାର ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇ ନ ଥିବାବେଳେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ହ୍ରାସ ଘଟିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ ବୋଲି ସୂଚନା ମିଳିଛି।

Share