Categories: ବାଣିଜ୍ୟ

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡୁଆ: ୧୫ ହଜାର କୋଟି ଦାବି କଲେ ଚାଇନାର ବ୍ୟାଙ୍କ ସମୂହ

ନୂଆଦିଲ୍ଲୀ,୧୯-୬ – ଋଣରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କ ଅଡୁଆ କମିବାର ନାଁ ଧରୁନି। ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନା ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଡଷ୍ଟ୍ରିଆଲ ବ୍ୟାଙ୍କ ଅଫ୍‌ ଚାଇନା ଓ ଏକ୍ଜିମ ବ୍ୟାଙ୍କ ଅଫ୍‌ ଚାଇନା ସମେତ ଏକାଧିକ ଚାଇନାର ଋଣପ୍ରଦାନକାରୀ ଏବେ ଅନିଲ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ଠାରୁ ପ୍ରାୟ ୨.୧ ବିଲିୟନ ଡଲାର( ପ୍ରାୟ ୧୫ ହଜାର କୋଟି ଟଙ୍କା) ବକେୟା ଦାବି କରିଛନ୍ତି। କମ୍ପାନୀ ବିରୋଧରେ ଗତବର୍ଷରୁ ବ୍ୟାଙ୍କରପ୍ସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆର୍‌କମ୍‌ ପକ୍ଷରୁ ଷ୍ଟକ୍‌ ଏକ୍ସଚେଞ୍ଜକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଚାଇନା ଡେଭଲପ୍‌ମେଣ୍ଟ ବ୍ୟାଙ୍କ ୯୮୬୦ କୋଟି ଟଙ୍କା ଆର୍‌କମ୍‌କୁ ଋଣ ଦେଇଥିଲା। ସେହିପରି ଏକ୍ଜିମ ବ୍ୟାଙ୍କ ଅଫ୍‌ ଚାଇନା ୩୩୬୦ କୋଟି ଟଙ୍କା ଏବଂ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା ୧୫୫୪ କୋଟି ଟଙ୍କା ବକେୟା ଋଣ ବାବଦରେ ଦାବି କରିଛି। ଆର୍‌କମ୍‌ ପକ୍ଷରୁ ସୋମବାର ଏହାର ଫାଇନାନ୍ସିଆଲ କ୍ରେଡିଟରଙ୍କ ତାଲିକା ଜାରି କରାଯାଇଛି। ତଦନୁଯାୟୀ, କମ୍ପାନୀ ଉପରେ ଏବେ ୫୭,୩୮୨ କୋଟି ଟଙ୍କାର ବକେୟା ରହିଛି। ଇନଭେଷ୍ଟମେଣ୍ଟ ବ୍ୟାଙ୍କ ବିଟିଭି କ୍ୟାପିଟ୍‌ ଅଫ୍‌ ରସିଆ ମଧ୍ୟ ଏହି ତାଲିକାରେ ରହିଛି। ଏହା ୫୧୧ କୋଟି ଟଙ୍କା ଦାବି କରିଛି। ଏହାବ୍ୟତୀତ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ(ଲଣ୍ଡନ), ଡାଏଚେ ବ୍ୟାଙ୍କ(ହଂକଂ), ଡିବିଏସ୍‌ ବ୍ୟାଙ୍କ ଏବଂ ଏମିରେଟ୍ସ ଏନ୍‌ବିଡି ବ୍ୟାଙ୍କ ଭଳି ବିଦେଶୀ ଆର୍ଥିକ ସଂସ୍ଥା ଆର୍‌କମ୍‌ ଉପରେ ନିଜର ବକେୟା ଦାବି କରିଛି।

Share