ବଢ଼ିଲା କଳାବଜାର: ୨ଶହରୁ ଊର୍ଦ୍ଧ୍ୱ ଔଷଧ ଦୋକାନ ଉପରେ ପୋଲିସ ଚଢ଼ାଉ

ଭୁବନେଶ୍ୱର,(ବ୍ୟୁରୋ)/ କଟକ ରୋଡ୍‌,୧୬।୩(ଡି.ଏନ୍‌.ଏ.) କରୋନା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ହଠାତ୍‌ ଡିମାଣ୍ଡ ବଢ଼ିଯିବା ପରେ କଳାବଜାର ଆରମ୍ଭ ହୋଇଯାଇଛି। ଔଷଧ ଦୋକାନୀମାନେ ଅଭାବ ଦର୍ଶାଇ ମନଇଚ୍ଛା ଦର ନେଉଛନ୍ତି। ମୂଲ୍ୟ ୫୦ ଟଙ୍କା ରହିଥିଲେ ମଧ୍ୟ ଦୋକାନୀମାନେ ତାହାକୁ ୧୨୦ରୁ ୧୫୦ଟଙ୍କାରେ ବିକ୍ରି କରୁଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ରବିବାରଠାରୁ ଚଢ଼ାଉ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨ଶହରୁ ଊର୍ଦ୍ଧ୍ୱ ଔଷଧ ଦୋକାନରେ ଚଢ଼ାଉ ଓ ଯାଞ୍ଚ କରାଯିବା ସହ ବ୍ୟବସାୟୀଙ୍କୁ ତାଗିଦ କରାଯାଇଛି। ଲକ୍ଷ୍ମୀସାଗର ଥାନା ପୋଲିସ ୪୫, ବଡ଼ଗଡ଼ ପୋଲିସ ୧୬ ଓ ଇନ୍‌ଫୋସିଟି ଥାନା ପୋଲିସ ୧୧ ଔଷଧ ଦୋକାନରେ ଚଢାଉ କରିଥିବାବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ୭, ନୟାପଲ୍ଲୀ ୧୭, ଶହୀଦନଗର ୨, ମଞ୍ଚେଶ୍ୱର ୩୨, ଖଣ୍ଡଗିରି ୨୦, ଖାରବେଳନଗର ୧୦, କ୍ୟାପିଟାଲ ଥାନା ୧୦, ଏୟାରପୋର୍ଟ ଥାନା ୯ ଓ ଏୟାରଫିଲ୍ଡ ଥାନାଞ୍ଚଳରେ ୧୦ ଔଷଧ ଦୋକାନରେ ଚଢାଉ କରାଯାଇଥିଲା। ସେହିଭଳି ଜଟଣୀ ଅଞ୍ଚଳରେ ମଧ୍ୟ ଚଢ଼ାଉ ହୋଇଥିଲା। ପ୍ରାୟ ସବୁ ଦୋକାନରେ ସାନିଟାଇଜର ନ ଥିବାବେଳେ କାଁ ଭଁା ଦୋକାନରେ ମାସ୍କ ରହିଥିଲା। ବଡ଼ଗଡ଼ ଥାନା ଅନ୍ତର୍ଗତ ଲୁଇସ୍‌ ରୋଡ୍‌ରେ ଥିବା ଏକ ମେଡିସିନ ଷ୍ଟୋର୍‌ରେ ୩୦ ଟଙ୍କିଆ ମାସ୍କକୁ ଦୋକାନୀ ୧୫୦ ଟଙ୍କାରେ ବିକ୍ରି କରିଥିବା ନେଇ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍‌ କରି ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ବିଲ୍‌ ଯାଞ୍ଚ କରି ୫ ଗୁଣା ଅଧିକ ଅର୍ଥ ନିଆଯାଇଥିବା ପ୍ରମାଣ ପାଇବା ପରେ ଦୋକାନୀ ଜଣକ ଅର୍ଥ ଫେରାଇଥିଲେ।
ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ଯେଉଁ ଔଷଧ ଦୋକାନୀ ମାସ୍କ, ସାନିଟାଇଜର ଆଦି ଚଢା ଦାମ୍‌ରେ ବିକ୍ରି କରୁଥିବା ନେଇ ଖବର ଆସିବ ସେଠାରେ ପୋଲିସ ଚଢାଉ କରି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।
ସମୀର ନାମକ ଜଣେ ଗ୍ରାହକ କହିଛନ୍ତି, ମୁଁ ୧୫ ଔଷଧ ଦୋକାନ ବୁଲିବା ପରେ ଗୋଟିଏ ଦୋକାନରେ ମାସ୍କ ପାଇଥିଲି। ଦୋକାନୀ ଗୋଟିଏ ମାସ୍କକୁ ଶହେ ଟଙ୍କା ଲେଖାଏ ନେଇଥିଲେ। ମୁଁ ୪ ମାସ୍କ ଘର ଲୋକଙ୍କ ପାଇଁ କିଣିଥିଲି। ଦାମ୍‌ ଯେତେ ହେଉନା କାହିଁକି ଏହା ମିଳୁ ନ ଥିବାରୁ କିଣିବାକୁ ବାଧ୍ୟ। ଜୀବନ ଆଗ, ଟଙ୍କା ରଖିଲେ କ’ଣ ସ୍ବର୍ଗକୁ ନେବ ବୋଲି ସେ କହିଛନ୍ତି। ଔଷଧ ଦୋକାନୀ ଦିଲୁ ନାୟକ କହିଛନ୍ତି, ଅର୍ଡର ଯେତିକି ଦିଆଯାଉଛି ତାହାର ୧୦ ପ୍ରତିଶତ ଆସୁଛି। ଫଳରେ ଲୋକେ ଅଧିକ କିଣି ନେଉଥିବାରୁ ଯୋଗାଇବା ସମ୍ଭବ ହେଉନି। ଯାହା ବି ଅଛି ଦୋକାନୀମାନେ ଅଧିକ ଦର ନେବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆମେ ମୂଲ୍ୟ ଅନୁସାରେ ଗୋଟିଏ ମାସ୍କ ୫୦ ଟଙ୍କାରେ ବିକ୍ରି କରୁଛୁ। ତେବେ ସାନିଟାଇଜର ଯୋଗାଣ ପୂରା ବନ୍ଦ ହୋଇଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଦିଲୁ କହିଛନ୍ତି।

Share