ବଢ଼ିଲା ଖରା: ୩୦ ଡିଗ୍ରୀ ଉପରେ ୧୭ ସହର; ମାଲକାନଗିରିରେ ସର୍ବାଧିକ ୩୫.୨ ଡିଗ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜ୍ୟରେ ଆଉ ଶୀତ ଅନୁଭବ ହେବ ନାହିଁ। ଚଳିତମାସର ବାକି ଦିନଗୁଡ଼ିକରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଦିନବେଳା ୩୫ଡିଗ୍ରୀ ଏବଂ ରାତିରେ ୧୭ଡିଗ୍ରୀ ଉପରେ ରହିବ। ବିଶେଷ କରି ୨ରୁ ୩ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଲୋକେ ଦିନରେ ଟାଣ ଖରା ଏବଂ ରାତିରେ ଗରମ ଅନୁଭବ କରିବେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରବିବାର ୧୭ ସ୍ଥାନରେ ତାପମାତ୍ରା ୩୦ଡିଗ୍ରୀ ଉପରେ ରହିଥିବା ବେଳେ ୩ ସହରରେ ତାପମାତ୍ରା ୩୦ଡିଗ୍ରୀ ରହିଥିଲା। ରବିବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ରହିଥିଲା। ଏଠାରେ ସର୍ବାଧିକ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡିରେ ତାପମାତ୍ରା ୩୫.୧ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡ଼ରେ ୩୪.୨, ଭବାନୀପାଟଣାରେ ୩୩.୪, ବୌଦ୍ଧରେ ୩୨.୫, ତାଳଚେରରେ ୩୨.୪, ନୟାଗଡ଼ରେ ୩୨, ଭୁବନେଶ୍ୱରରେ ୩୧.୮, ହୀରାକୁଦ ଓ ଝାରସୁଗୁଡ଼ାରେ ୩୧.୬, ବଲାଙ୍ଗୀର ଓ ସମ୍ବଲପୁରରେ ୩୧.୫, ଚାନ୍ଦବାଲିରେ ୩୧.୪, ସୋନପୁର ଓ ଗୋପାଳପୁରରେ ୩୧.୨, ବାଲେଶ୍ୱରରେ ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାରିପଦା, କେନ୍ଦୁଝର, ଛତ୍ରପୁରରେ ତାପମାତ୍ରା ୩୦ଡିଗ୍ରୀ ରହିଥିଲା। ରବିବାର ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୧୦.୬ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ନାହିଁ। ୨ରୁ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ ଆଦି ଜିଲାରେ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୋମବାର ଘନ କୁହୁଡ଼ି ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡ଼ିକ ହେଲା ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା।

Share