ବଢ଼ିଲା ଥାଲାସେମିଆ, କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଚିନ୍ତା

ଭୁବନେଶ୍ୱର, ୬।୪ (ବ୍ୟୁରୋ): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ହୋଇଥିବା ବେଳେ ଥାଲାସେମିଆ ଓ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଯୋଗାଇବା ଏବେ କଷ୍ଟକର ହୋଇପଡୁଛି । ଥାଲାସେମିଆ ରୋଗୀଙ୍କୁ ସରକାର ମାଗଣାରେ ରକ୍ତ ଦେଉଥିଲେ କିନ୍ତୁ ବର୍ତ୍ତମାନ ରକ୍ତ ସଂଗ୍ରହ ଏକ ପ୍ରକାର ଶୂନ ଅବସ୍ଥାକୁ ଆସିଯାଇଛି। ମହଜୁଦ ଥିବା ରକ୍ତର ବ୍ୟବହାର କରାଯାଉଛି କିନ୍ତୁ ରକ୍ତ ଅଭାବକୁ ଦେଖି ଏବେ ଥାଲାସେମିଆ ଆକ୍ରାନ୍ତଙ୍କ ପରିବାର ସଦସ୍ୟ ରକ୍ତ ଦେବାକୁ ଏବେ ରକ୍ତଭଣ୍ଡାର କର୍ମଚାରୀମାନେ କହୁଛନ୍ତି । ସେହିପରି କ୍ୟାନ୍ସର ରୋଗୀଙ୍କ ଦୈନିକ ଚିକିତ୍ସାରେ ନାନା ସମସ୍ୟା ଉପୁଜୁଛି। କ୍ୟାନ୍ସର ରୋଗୀଙ୍କ ପାଇଁ କେମୋ ନେବାରେ ସମସ୍ୟା ଅନୁଭବ କରୁଛନ୍ତି। ଯାତାୟାତର ସୁବିଧା ନ ଥିବାରୁ ସେମାନେ ଚିକିତ୍ସା ନେବାରେ ଅଧିକ ସମସ୍ୟା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଡାକ୍ତରଖାନା ଗୁଡିକରେ ରୋଗୀ ନ ଥିବାରୁ ପୂର୍ବଭଳି ରକ୍ତ ଆବଶ୍ୟକ ହେଉନାହିଁ। କାଁ ଭାଁ ପ୍ରସୂତୀଙ୍କ ପାଇଁ ରକ୍ତ ଆବଶ୍ୟକ ପଡୁଥିବା ମହଜୁଦ ରକ୍ତ ଥାଲାସେମିଆ ରୋଗୀଙ୍କ ଦିଆଯାଉଛି। କିନ୍ତୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗୁରୁତର ରକ୍ତ ସଙ୍କଟ ଦେଖାଦେବ ବୋଲି ମତପ୍ରକାଶ ପାଉଛି।

Share