ବଢ଼ିଲା ଯାନବାହନ ବୈଧତା ଅବଧି

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ସମୟ ବଢ଼ିବା ଯୋଗୁ ଯାନବାହନଗୁଡ଼ିକର ବିଭିନ୍ନ ପ୍ରକାର ବୈଧତା ଅବଧି ମଧ୍ୟ ବଢ଼ିଛି। ବୁଧବାର ଏନେଇ ରାଜ୍ୟ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଅଧ୍ୟକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ମାର୍ଚ୍ଚ ୨୨ ତାରିଖ ପରଠୁ ଯେଉଁ ଯାନବାହନର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଛି, ସେଗୁଡ଼ିକୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟ୍ରେନ୍‌ ଏବଂ ମାଲ୍‌ପରିବହନ ଯାନଗୁଡ଼ିକର ପରମିଟ୍‌ ଅବଧି ମଧ୍ୟ ଜୁନ୍‌ ୩୦ ତାରିଖକୁ ବୃଦ୍ଧି ପାଇଛି। ସେହିଭଳି ଭାରତ ଷ୍ଟେଜ୍‌-୬ ଯାନବାହନଗୁଡ଼ିକର ସାମୟିକ ପଞ୍ଜୀକରଣ, ଯାହା ମାର୍ଚ୍ଚ ୨୨ ତାରିଖରୁ ସରିଯାଇଛି, ସେ ଅବଧି ଜୁନ୍‌ ୩୦ ତାରିଖ ଯାଏ ବୈଧ ରହିବ। ଏତଦ୍‌ ବ୍ୟତୀତ ଫ୍ୟାନ୍ସି ଏବଂ ମନପସନ୍ଦର ଗାଡ଼ି ନମ୍ବର ପାଇଁ ଯେଉଁମାନେ ଆବେଦନ କରିଛନ୍ତି, ସେମାନେ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଗାଡ଼ି ପଞ୍ଜୀକରଣ କରିପାରିବେ।

Share