ବଢ଼ିଲା ଯୁକ୍ତ ୨ ସ୍ପଟ୍‌ ଆଡମିଶନ ଅବଧି

ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା):  ଯୁକ୍ତ ୨ରେ ନାମଲେଖା ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇନଥିବା ଆବେଦନକାରୀ କିମ୍ବା ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବାକୁ ଚାହଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜଜୁଲାଇ ୨୭ରେ ଏହାର ମେଧା ତାଲିକା ପ୍ରକାଶ ପାଇଥିବାବେଳେ ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସମାପ୍ତ ହେବାର ଥିଲା। ମାତ୍ର ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଏହି ନାମଲେଖା ଅବଧିକୁ ଅଗଷ୍ଟ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅବଗତ କରାଯାଇଛି।
ସାମସ୍‌ ପୋର୍ଟାଲ ତଥ୍ୟ ଅନୁସାରେ, ରାଜ୍ୟର ୨୧୬୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ୍‌ ୫ ଲକ୍ଷ ୯ ହଜାର ୩୦୯ ସିଟ୍‌ରେ ନାମଲେକା ହେବାକୁଥିବାବେଳେ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୭୬ ହଜାର ୮୯୧ ଜଣ ନାମ ଲେଖାଇଛନ୍ତି। ୧ ଲକ୍ଷ ୩୨ ହଜାର ୪୧୮ ସିଟ୍‌ ଖାଲି ରହିଛି। କଳାରେ ୨ ଲକ୍ଷ ୮୯ ହଜାର ୪୯୬ ସିଟ୍‌ ମଧ୍ୟରୁ ୨ ଲକ୍ଷ ୩୯ ହଜାର ୪୪୦ ସିଟ୍‌ରେ ନାମଲେଖା ହୋଇଛି। ୫୦ ହଜାର ୫୬ଟି ସିଟ୍‌ ଖାଲି ରହିଛି। ବିଜ୍ଞାନରେ ୧ଲକ୍ଷ ୫୭ ହଜାର ୨୪୧ ସିଟ୍‌ ମଧ୍ୟରୁ ୧ଲକ୍ଷ ୩ ହଜାର ୨୭୬ ସିଟ୍‌ର ନାମଲେଖା ହୋଇଛି। ୫୩ ହଜାର ୯୬୫ ସିଟ୍‌ ଖାଲି ରହିଛି। ବାଣିଜ୍ୟରେ ୩୯ ହଜାର ୨୪୪ ସିଟ୍‌ ମଧ୍ୟରୁ ୨୩ ହଜାର ୧୨୮ ସିଟରେ ନାମଲେଖା ହୋଇଥିବାବେଳେ ୧୬ ହଜାର ୨୧୬ ସିଟ୍‌ ଖାଲି ରହିଛି। ସଂସ୍କୃତରେ ୧୨ ହଜାର ୭୩୬ ଆସନ ରହିଥିବାବେଳେ ୬ ହଜାର ୫୫୦ ସିଟରେ ନାମ ଲେଖା ହୋଇଛି। ୬ହଜାର ୧୮୬ ସିଟ୍‌ ଖାଲି ରହିଛି। ଧନ୍ଦାମୂଳକ ବିଷୟରେ ୧୦ ହଜାର ୪୯୨ ସିଟ୍‌ ରହିଥିବାବେଳେ ୪ ହଜାର ୪୯୨ ସିଟରେ ନାମଲେଖା ହୋଇଛି। ୫ ହଜାର ୯୯୫ ସିଟ୍‌ ଖାଲି ରହିଛି।

Share