ବଢ଼ି ଚାଲିଛି ଗୋଠଛଡ଼ା ଦନ୍ତାର ଉତ୍ପାତ

ଝୁମ୍ପୁରା, ୨୬।୭ (ଡି.ଏନ.ଏ.)-ବଢି ଚାଲିଛି ଗୋଠଛଡା ଦନ୍ତା ହାତୀର ଉତ୍ପାତ। ଘର ଭାଙ୍ଗିବା, ଫସଲ ଉଜାଡିବା ସହିତ ମଣିଷଙ୍କୁ ଆକ୍ରମଣ କରିବା ଘଟଣା ପ୍ରତ୍ୟେହ ଘଟୁଛି। ଏ ନେଇ ଭୂୟାଁ ଜୁଆଙ୍ଗ ପୀଢ ଏବଂ ଚମ୍ପୁଆ ରେଞ୍ଜରେ ରହିଥିବା ବନାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ବାସିନ୍ଦା ଆତଙ୍କିତ ରହୁଛନ୍ତି। ରାତ୍ର ସମୟରେ ଜଙ୍ଗଲ ପାର୍ଶ୍ୱ ଗ୍ରାମ ଗୁଡିକରେ ଲୋକେ ରାତି ଅନିଦ୍ରାରେ ସମୟ ବିତାଉଛନ୍ତି। କେତେବେଳେ, କେଉଁ ସମୟରେ ଗୋଠଛଡା ଦନ୍ତା ପହଞ୍ଚିଯିବ କହିହେବ ନାହିଁ। ଘର ଭିତରେ ଶୋଇଥିଲେ ମଧ୍ୟ ପରିବାର ସଦସ୍ୟଙ୍କ ନିଦ ହଜିଯାଉଛି। ଭୂୟାଁ ଜୁଆଙ୍ଗପୀଢ ରେଞ୍ଜର ଫୁଲଝର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମରେ ଗୋଠଛଡା ଦନ୍ତା ବୁଧବାର ପୁଣି ଘର ଭାଙ୍ଗିଛି। କେବଳ କେନ୍ଦୁଘାଟି ଗ୍ରାମରେ ଚଳିତ ବର୍ଷ ଗୋଠାଛଡା ଦନ୍ତା ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା, ବହୁ ଏକର ଫସଲ ଉଜାଡିବା ସହିତ ଜଣେ ଗ୍ରାମ ବାସିନ୍ଦା ମୃତ୍ୟୁମୁଖରେ ପଡିଛନ୍ତି। ସୂଚନା ଅନୁଯାୟୀ ଚମ୍ପୁଆ, ବାଲିବନ୍ଧ, ବାମେବାରୀ, ଯୋଡା, ବାଂଶପାଳ ବନପାଳ ମାନଙ୍କ ନିୟନ୍ତ୍ରଣରେ ରହିଥିବା ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ଖେସରା ଜଙ୍ଗଲ, ଡିଏଲସି ଫରେଷ୍ଟ ଅଞ୍ଚଳରେ ୩ଟି ଗୋଠଛଡା ଦନ୍ତା ହାତୀ ଘୁରି ବୁଲୁଛନ୍ତି। ଏହି ୩ଟି ହାତୀ ବିଗତ ୨ରୁ ୩ ବର୍ଷ ହେବ ଗୋଠରୁ ଅଲଗା ହୋଇଛନ୍ତି। ତେବେ ବିଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷରେ ଗୋଠଛଡା ଦନ୍ତା ଗୁଡିକଙ୍କର ଉପତ୍ାତ ବଢି ଚାଲିଛି। ଭୂୟାଁଜୁଆଙ୍ଗ ପୀଢ଼ରେ ଏବଂ ବାମେବାରୀ ବନାଚଂଳରେ ରହିଥିବା ୨ଟି ଗୋଠଛଡା ଦନ୍ତାର ଉପତ୍ାତ ସୀମା ଟପିଲାଣି। ବନ ବିଭାଗର ସୂଚନା ଅନୁଯାୟୀ ବିଗତ ୩ବର୍ଷରେ ଗୋଠ ଛଡା ଦନ୍ତା ଆକ୍ରମଣରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଶତାଧିକ ଘର ଭାଙ୍ଗିଛି ଏବଂ ବାଡ଼ି ବଗିଚା ଫସଲ ଉଜାଡିଛି।
ହାତୀର ଗତିବିଧି ଉପରେ ନଜର ରଖିବା ଏବଂ ଯେତେ ଦୂର ସମ୍ଭବ ଗୋଠଛଡା ଦନ୍ତା ହାତୀମାନଙ୍କୁ ଜଙ୍ଗଲକୁ ଘଉଡାଇବା ପାଇଁ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର, ବାଲିବନ୍ଧ ଫରେଷ୍ଟର ଖଗେଶ୍ୱର ବାରିକ, ବାମେବାରୀ ଫରେଷ୍ଟର ଯତୀନ୍ଦ୍ର ସାହୁ ନିଜ ଟିମ ସହିତ ଗୋଠଛଡା ଦନ୍ତା ପଛରେ ଗୋଡାଇ ଚାଲିଛନ୍ତି। ତଥାପି ଦନ୍ତା ମାନଙ୍କୁ ଆୟତ କରାଯାଇ ପାରୁନାହିଁ। ଏସମ୍ପର୍କରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ଏହାର ସମାଧାନ ପାଇଁ ପ୍ରୟାସ ଜାରୀ ରହିଛି ବୋଲି କହିଛନ୍ତି।

Share