ବଢ଼ି ଚାଲିଛି ରାସ୍ତାପାର୍ଶ୍ୱ ଜବରଦଖଲ ସମସ୍ୟା: ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଝୁମ୍ପୁରା, ୨୦।୧୨ (ଡି.ଏନ.ଏ.)-ଝୁମ୍ପୁରା ତହସିଲ ଅନ୍ତର୍ଗତ ସମସ୍ତ ୬ଟି ଯାକ ରାଜସ୍ବ ସର୍କଲରେ ଜବରଦଖଲ ସମସ୍ୟା ବଢିଚାଲିଛି। ସରକାରୀ ଜାଗା ଜବରଦଖଲ, ରାସ୍ତାପାର୍ଶ୍ୱ ଜବରଦଖଲ, କେନାଲ ହୁଡ଼ା ଜବରଦଖଲ ସମସ୍ୟା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ, ତହସିଲ ପ୍ରଶାସନ କେବଳ ଏକ ଜରିମାନା ନୋଟିସ ପଠାଇ ଦେଇ ଚୁପ ବସିଯାଉଛି। ଜବରଦଖଲ ଉଚ୍ଛେଦର ପ୍ରକ୍ରିୟା କରାଯାଉନାହିଁ। ଜବରଦଖଲ ନେଇ ଅନେକ ସମୟରେ ଗ୍ରାମ୍ୟ ବିବାଦ ହୋଇ ଥାନାରେ ଏତଲା ପର୍ଯ୍ୟନ୍ତ କଥା ଯାଇଛି। ଏତେ ସବୁ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଜବରଦଖଲକାରୀଙ୍କ ପ୍ରଭାବ ବଢ଼ି ବଢ଼ି ଚାଲିଛି।
ଏବେ ଜବରଦଖଲ ସମସ୍ୟା ଯୋଗୁ ଝୁମ୍ପୁରା ବଜାର ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ପ୍ରଶାସନର ଅନୁକମ୍ପା ଯୋଗୁ ଝୁମ୍ପୁରା ବଜାର ରାସ୍ତାଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ୨ପାର୍ଶ୍ୱ ଡ୍ରେନ ଉପରେ ବେନିୟମ ନିର୍ମାଣ ଜାରି ରହିଛି। ବେନିୟମ ନିର୍ମାଣ ନେଇ ବଜାରବାସୀ ଅଭିଯୋଗ କଲେ ଜବରଦଖଲକାରୀ ଶୁଣୁନାହିଁ। ଓଲଟି ପୋଲିସର ସହାୟତା ନେଇ ଅଭିଯୋଗକାରୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହେଉଛି। ଝୁମ୍ପୁରା ବଜାର ଆରଏମସି ଏବଂ ପଞ୍ଚାୟତର ନିୟନ୍ତ୍ରଣାଧୀନ ରହିଥିବା ବେଳେ ଉଭୟ ଆରଏମସି ଏବଂ ପଞ୍ଚାୟତର ଦୋକାନ ଘର ପୂର୍ତ୍ତ ବିଭାଗ ରାସ୍ତାର ୨ପାର୍ଶ୍ୱରେ ରହିଛି। ପଞ୍ଚାୟତ ଓ ଆରଏମସିର ଦୋକାନ ଘର ନେଇଥିବା ବ୍ୟବସାୟୀ ଏବଂ ରାସ୍ତା ପାର୍ଶ୍ୱରେ ରହିଥିବା ଜାଗା ମାଲିକମାନେ ମନଇଚ୍ଛା ପୂର୍ତ୍ତ ବିଭାଗ ରାସ୍ତାର ୨ପାର୍ଶ୍ୱରେ ରହିଥିବା ଡ୍ରେନ ଉପରେ ବେନିୟମ ନିର୍ମାଣ କରି ଚାଲିଛନ୍ତି। ଡ୍ରେନ ପାର ହୋଇ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇ ଦୋକାନ ଜିନିଷ ରଖାଯାଉଛି। ବଜାରକୁ ଆସୁଥିବା ବାଇକ ଆରୋହୀମାନେ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ଉପରେ ପାର୍କିଂ କରୁଛନ୍ତି। ଟ୍ରାଫିକ ଅବ୍ୟବସ୍ଥା ନେଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ବିରୋଧ କରି ୱାର୍ଡ ନଂ.୨, ୱାର୍ଡ ନଂ.୩, ୱାର୍ଡ ନଂ. ୬, ୱାର୍ଡ ନଂ .୭ର ବାସିନ୍ଦା ବାରମ୍ବାର ତହସିଲ କାର୍ଯ୍ୟାଳୟ ଏବଂ ଥାନାରେ ଅଭିଯୋଗ କରିଛନ୍ତି ହେଲେ କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି। ପଦକ୍ଷେପ ନିଆଯାଉନାହିଁ। ଏସବୁ ନେଇ ବଜାରବାସୀ, ୱାର୍ଡବାସୀ ଗତ ୧୬ ତାରିଖରେ ଝୁମ୍ପୁରାରେ ହୋଇଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ନେଇ ଜିଲାପାଳଙ୍କୁ ଭେଟିଥିଲେ। ଅଭିଯୋଗକୁ ଦେଖିବା ପାଇଁ ଜିଲାପାଳ ଆଶିଷ ଠାକରେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କୁ କହିଥିଲେ। ଚମ୍ପୁଆ ଉପଜିଲାପାଳ ମଧ୍ୟ ଆରଏମସିର ଚେୟାରମ୍ୟାନ ଅଟନ୍ତି। ତେବେ ପ୍ରଶାସନ ଝୁମ୍ପୁରା ବଜାର ୨ପାର୍ଶ୍ୱ ରାସ୍ତାର ଜବରଦଖଲ ନ ହଟାଇଲେ ଅଭିଯୋଗକାରୀ କୋର୍ଟର ଆଶ୍ରୟ ନେବେ ବୋଲି ଜଣାପଡିଛି। ଏସମ୍ପର୍କରେ ପଚାରିବାରୁ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କୁ ପଚାରିବାରୁ ରାସ୍ତାପାର୍ଶ୍ୱ ଜବରଦଖଲ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।