ବଢ଼ି ନ ପାରେ ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୩୧ା୩(ପି.ଟି.): ଦେଶରେ ଗତ ମଙ୍ଗଳବାରଠାରୁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ ସମୟସୀମା ବୃଦ୍ଧି ପାଇପାରେ ବୋଲି ଗୁଜବ ପ୍ରଚାରିତ ହେଉଥିବାବେଳେ ସେଭଳି ଯୋଜନା ନ ଥିବା ସୋମବାର ସରକାର ସ୍ପଷ୍ଟ କରିଛନ୍ତି। ଲକ୍‌ଡାଉନ ସମୟ ବୃଦ୍ଧି ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ କ୍ୟାବିନେଟ ସଚିବ ରାଜୀବ ଗୌବା ଖଣ୍ଡନ କରିଥିବା ପିଆଇବି ପକ୍ଷରୁ ଟୁଇଟ୍‌ କରାଯାଇଛି।
କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ଏହି ସମୟସୀମା ଶେଷ ହେବା ପରେ ଏହାକୁ ପୁଣି ବଢ଼ାଯିବ ବୋଲି କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏଭଳି ଖବର ଭିତ୍ତିହୀନ ବୋଲି ଗୌବା କହିଛନ୍ତି। ଲକ୍‌ଡାଉନ ଯୋଗୁ ଦିନମଜୁରିଆ ଓ ଦାଦନମାନେ କାମଧନ୍ଦା ହରାଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ନା ସେମାନଙ୍କ ହାତରେ କାମ ଅଛି ନା ଚଳିବା ପାଇଁ ପଇସା। ଘରକୁ ଫେରିବାକୁ ଚାହିଁଲେ ମଧ୍ୟ ସେମାନେ ଫେରିପାରୁ ନାହାନ୍ତି। ଲକ୍‌ଡାଉନ ଲାଗି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ରବିବାର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କ୍ଷମା ମାଗିଥିଲେ।

Share