Categories: ବାଣିଜ୍ୟ

ବଢ଼ୁଛି ନରେଶ ଗୋୟଲଙ୍କ ଅଡ଼ୁଆ;ଜେଟ୍‌ରେ ଆର୍ଥିକ ଅନିୟମିତତାର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୨୮-୫: ସାମୟିକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରମୋଟର ନରେଶ ଗୋୟଲଙ୍କ ବିରୋଧରେ ଏବେ ଦୁଇଟି ସରକାରୀ ତଦନ୍ତକାରୀ ଏଜେନ୍ସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଫଳରେ ତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ଅର୍ଥ ମନ୍ତ୍ରଣାଳୟ ଅଧୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଏସ୍‌ଏଫ୍‌ଆଇଓ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଯାଇଛି। ଏହି କାରଣରୁ ଜେଟ୍‌ ମାଲିକ ତଥା ପୂର୍ବତନ ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ସ୍ତ୍ରୀ ଅନୀତା ଗୋୟଲଙ୍କୁ ଦୁବାଇ ଯାଉଥିବା ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସେମାନଙ୍କ ବିଦେଶ ଯାତ୍ରା ଉପରେ ଏବେ କଟକଣା ଜାରି କରାଯାଇଛି। ଆର୍ଥିକ ଅନିୟମିତତା କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହୋଇଛି କି ନା ଜାଣିବା ଲାଗି ଇଡି ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସିରିୟସ୍‌ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ୍‌(ଏସ୍‌ଏଫ୍‌ଆଇଓ) ମଧ୍ୟ ସ୍ବତନ୍ତ୍ର ଭାବେ ତଦନ୍ତ ଆରମ୍ଭ କରିଛି। ଜେଟ୍‌ ପ୍ରମୋଟର ପାଣ୍ଠି ହଡ଼ପ୍‌ କରିଥିବା ନେଇ ଏସ୍‌ଏଫ୍‌ଆଇଓ ତଦନ୍ତ କରୁଥିବା ବେଳେ ଆବୁଧାବୀସ୍ଥିତ ବିମାନ କମ୍ପାନୀ ଏଟିହାଦ ଏୟାରଓ୍ବେଜ୍‌ ପକ୍ଷରୁ ଜେଟ୍‌ରେ ହୋଇଥିବା ୧୫୦ ମିଲିୟନ ଡଲାର ନିବେଶ ସମ୍ପର୍କରେ ଇଡି ତଦନ୍ତ କରୁଛି। ଏଟିହାଦର ନିବେଶ ବେଳେ ବିଦେଶୀ ପୁଞ୍ଜିନିବେଶ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ କୌଣସି ଆପରାଧିକ ମାମଲା ଦାଏର ହୋଇନାହିଁ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏସ୍‌ଏଫ୍‌ଆଇଓର ଲୁକ୍‌ଆଉଟ ନୋଟିସ ପରେ ଗୋୟଲ ଦମ୍ପତିଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସେମାନଙ୍କ ବିମାନ ପ୍ରାୟ ଯାତ୍ରାରମ୍ଭ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିମାନକୁ ଫେରାଇ ଅଣାଯାଇଥିଲା।

Share