Advertisement
Categories: ଅନୁଗୋଳ

ବଢ଼ୁଛି ପାନୀୟଜଳ ସମସ୍ୟା: ଗ୍ରାମବାସୀଙ୍କ ବିକ୍ଷୋଭ

ତାଳଚେର,୨ା୬(ନି.ପ୍ର.)- ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର ନୂଆସାହି, କୃଷକସାହି ଓ ସଇନାଳି ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ୨/୩ ହଜାର ଲୋକ ପାଣି ପାଇଁ ଅସୁବିଧା ଭୋଗ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଶନିବାର ଗ୍ରାମବାସୀ ଆରଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟଜଳ ଯୋଗାଣ ନିମନ୍ତେ କୃଷକ ସାହିରେ ଏକ ପମ୍ପ ହାଉସ ରହିଛି। ପମ୍ପ ମାଧ୍ୟମରେ ବ୍ରାହ୍ମଣୀ ନଦୀରୁ ଜଳ ଉଠାଯାଇ ପାଇପ୍‌ ଯୋଗେ ଯୋଗାଇ ଦିଆଯାଇଥାଏ। କିନ୍ତୁ ଲୋ-ଭୋଲଟେଜ ଯୋଗୁ ଦୀର୍ଘ ଦିନ ହେଲା ପମ୍ପ ଚାଲୁ ନାହିଁ କି ପାଣି ମିଳୁ ନାହିଁ। ଯେଉଁ ଟ୍ୟାଙ୍କର ପାଣି ୩/୪ ଦିନରେ ଥରେ ଯୋଗାଣ ହେଉଛି ତାହା ବ୍ୟବହାର ଉପଯୋଗୀ ନୁହେଁ। ଏ ନେଇ ବାରମ୍ବାର ଅଭିଯୋଗ ପରେ କିଛି ସୁଫଳ ନ ମିଳିବାରୁ ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ପ୍ରଶାସନ ଏ ଦିଗରେ ଦୃଷ୍ଟି ନ ଦେଲେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସରପଞ୍ଚ ସୁଧାକର ଦାସ, ଦୀପକ ପ୍ରଧାନ, ବାସୁଦେବ ପ୍ରଧାନ, ବୁଲୁ ଦେହୁରୀ, ସଲିମ ବିଶ୍ୱାଳ, ଅନୁକୂଳ ସାହୁ, ମୁନା ବିଶ୍ୱାଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel