Categories: ଜାତୀୟ

ବଢିବ ଲକ୍‌ଡାଉନ ଅବଧି !

ନୂଆଦିଲ୍ଲୀ,୨୬।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ ପାଳନ କରାଯାଉଥିବା ବେଳେ ଅନ୍ୟପଟେ କିନ୍ତୁ ସଂକ୍ରମଣ କମିବାର ନାଁ ନେଉନାହିଁ। ଏବେ ରାଜ୍ୟ ବାହାରେ ଥିବା ଲୋକଙ୍କୁ ପ୍ରତି ରାଜ୍ୟ ସରକାର ନିଜ ନିଜ ରାଜ୍ୟକୁ ଫେରାଇ ଆଣୁଥିବା ଦେଖାଯାଉଛି। ମେ’୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସରୁଥିବା ବେଳେ ଏହା ଆଗକୁ ବୃଦ୍ଧି ହେବ କି ନା ତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ କରୋନା ସଂକ୍ରମଣକୁ ରୋକିବାକୁ ଲକ୍‌ଡାଉନ୍‌ ବଡ ପଦକ୍ଷେପ ହୋଇଥିବା ବେଳେ ମହାରାଷ୍ଟ୍ରରେ ଅଧିକ ସଂକ୍ରମିତ ଅଞ୍ଚଳରେ ଲକ୍‌ଡାଉନ ଅବଧି ବୃଦ୍ଧି ପାଇପାରେ ବୋଲି ଗୋଟିଏ ଦିନ ପୂର୍ବରୁ ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଏବେ ରାଜ୍ୟ ବାହାରର ଲୋକେ ରାଜ୍ୟକୁ ଫେରିବାକୁ ନେଇ ଅନୁମାନ କରାଯାଉଛି କି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟ ମଧ୍ୟରେ ଏମାନଙ୍କୁ ଶୃଙ୍ଖଳାର ସହ ରାଜ୍ୟକୁ ଫେରାଇ ଆଣିବା ପରେ ହୁଏତ ପୁଣିଥରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇପାରେ। କାହିଁକିନା ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ହୋଇନାହିଁ ସେପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ ଭଳି ନିୟମ ପାଳନ କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି। ରବିବାର ପଞ୍ଜାବର କେତେଜଣ ଶ୍ରଦ୍ଧାଳୁ ଘରକୁ ଫେରିବା ସହ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟ ବାହାରେ ଥିବା ନାଗରିକଙ୍କୁ ଆଣିବା ପାଇଁ କେନ୍ଦ୍ର ସହ କଥା ହୋଇଥିବା ଜଣାପଡିଛି। ତେଣୁ ଏସବୁକୁ ଦେଖିବା ପରେ ଲାଗୁଛି ହୁଏତ ଲକ୍‌ଡାଉନ ଅବଧି ବୃଦ୍ଧି ପାଇପାରେ।

Share