Categories: ଫୁରସତ

ବଢୁଛନ୍ତି ମାନସିକ ରୋଗୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ସହ ଫିଟ୍‌ ରହିବା ଲାଗି ଜିମ୍‌ ବା ଯୋଗ ଆଦି କରୁଥିବା ଦେଖାଯାଏ। ହେଲେ କେହି ମାନସିକ ସୁସ୍ଥତା ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଯାହାଫଳରେ ଏବେ ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ପ୍ରତି ୭ ଜଣରେ ଜଣେ ଭାରତୀୟ ଗମ୍ଭୀର ମାନସିକ ରୋଗରେ ପୀଡ଼ିତ ଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୧୯୯୦ରୁ ୨୦୧୭ ମସିହା (୨୭ ବର୍ଷ) ମଧ୍ୟରେ କରାଯାଇଥିବା ଏହି ଷ୍ଟଡିରୁ ଜଣାପଡ଼ିଛି, ଭାରତର ପାଖାପାଖି ୨୦କୋଟି ବା ମୋଟ ଜନସଂଖ୍ୟାର ୧୪.୩ ପ୍ରତିଶତ ଲୋକ ମାନସିକ ରୋଗରେ ପୀଡ଼ିତ। ସେମାନଙ୍କ ମଧ୍ୟରୁ ୪.୬କୋଟି ଡିପ୍ରେଶନ୍‌ ଓ ୪.୫ କୋଟି ବ୍ୟଗ୍ରତାର ଶିକାର ଥିବା ଜଣାପଡ଼ିଛି। ଏମ୍‌ସର ପ୍ରଫେସର୍‌ ତଥା ଏହି ଅଧ୍ୟୟନର ମୁଖ୍ୟ ଗବେଷକ ଡା. ରାଜେଶ ସାଗର କହିଛନ୍ତି, ବ୍ୟଗ୍ରତା ଓ ଡିପ୍ରେଶନ୍‌ର ମୁଖ୍ୟ କାରଣ ହେଉଛି ଚାପ। ସେହିପରି ଭୟ ଯୋଗୁ ପିଲାମାନଙ୍କ କ୍ଷେତ୍ରରେ ମାନସିକ ରୋଗର ସମସ୍ୟା ଦେଖାଯାଉଛି। ଏଥିସହ ସାମାଜିକ ଚାଲିଚଳଣିରେ ପରିବର୍ତ୍ତନ ମଧ୍ୟ ମାନସିକ ଚାପ ବଢ଼ାଉଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି। ପୂର୍ବରୁ ଯୌଥ ପରିବାର ଥିବାରୁ ଲୋକମାନେ ପରିବାର ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିପାରୁଥିଲେ, ଯାହା ଏବେ ଏକକ ପରିବାର ଯୋଗୁ ସମ୍ଭବ ହୋଇପାରୁନି। ଏଥିସହ ଭାରତରେ ଆତ୍ମହତ୍ୟାର ପ୍ରମୁଖ କାରଣ ମାନସିକ ଚାପ ବୋଲି ଜଣାପଡ଼ିଛି। ୧୯୯୦ରୁ ୨୦୧୭ ମଧ୍ୟରେ ମାନସିକ ରୋଗ ଦୁଇଗୁଣା ବଢ଼ିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ରଣନୀତି ଆପଣେଇବା ଆବଶ୍ୟକ

Share