Categories: ଗଞ୍ଜାମ

ବଢୁଛି ନିଶା କାରବାର: ପୋଲିସ, ଅବକାରୀ ବିଭାଗ ନୀରବଦ୍ରଷ୍ଟା

ବ୍ରହ୍ମପୁର ଅଫିସ,୨ା୧- ଗଞ୍ଜାମ ଜିଲାର ବିଭିନ୍ନ ଗଁ। ରେ ଏବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଯୁବ ପିଢ଼ି ଏହି କାରବାରରେ ଏବେ ଲିପ୍ତ ରହୁଛନ୍ତି। ନିଶା କାରବାରକୁ କେନ୍ଦ୍ର କରି ବିଗତ ଦିନରେ ଜିଲାରେ ଅନେକ ମୁଣ୍ଡ ଗଡିଛି। ଗୋଟିଏ ପଟେ ଅବକାରୀ ବିଭାଗ ଅନ୍ୟପଟେ ପୋଲିସ ଏବେ ସାଜିଛି ନୀରବଦ୍ରଷ୍ଟା। ସେପଟେ ମାଲାମାଲ ହେଉଛନ୍ତି ମାଫିଆ। ଅଶାନ୍ତିରୁ ଗୋଷ୍ଠୀ ସଂଘର୍ଷ ଘଟୁଛି। ବେଆଇନ ଭାବେ ମଦ ଓ ଗଞ୍ଜେଇ ଆଡ୍ଡାରେ ଚଢାଉ ପୂର୍ବରୁ ଅବକାରୀ ଓ ପୋଲିସର ଦ୍ୱାରସ୍ଥ ହୋଇଥାନ୍ତି ମାଫିଆ। ପ୍ରତିଦିନ ଶହ ଶହ କେଜି ଚୋରା ଗଞ୍ଜେଇ ଚାଲାଣ ସାଙ୍ଗକୁ ମଦ ବ୍ରହ୍ମପୁର ସହରକୁ ଚାଲାଣ ହେଉଛି। ଅନେକ ସମୟରେ ଗଜପତି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ମହୁରି କାଳୁଆ ମନ୍ଦିର ରାସ୍ତା ସୁକୁଣ୍ଡା, ଲାଠୀ ଓ ପୁରୁଣା ବ୍ରହ୍ମପୁର ଦେଇ ବ୍ରହ୍ମପୁରକୁ ପ୍ରବେଶ କରୁଛି। ସେଠାରୁ ଅନ୍ୟ ଜିଲା ଓ ବାହାର ରାଜ୍ୟକୁ ଚାଲାଣ ହେଉଛି। ଅନ୍ୟପଟେ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହେଉଥିବା ମଦଭାଟି ଗୁଡିକରେ ନିମ୍ନମାନର ମଦ ପ୍ରସ୍ତୁତ ହେଉଛି। ଦିନ ମଜୁରିଆ, ଶ୍ରମିକ, ଟ୍ରାକ୍ଟର ଚାଳକ, ରିକ୍ସାବାଲା ଓ ଖଟିଖିଆମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି। ଚୋରା ମଦ କାରବାର ଓ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ଏହି ମାଫିଆମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ପରିଲକ୍ଷିତ ହେଉଛି। ଅବକାରୀ ଓ ପୋଲିସ ବିଭାଗ ଉଭୟ ମଦ ଓ ଗଞ୍ଜେଇ ବେପାରୀଙ୍କ ବନ୍ଧୁ ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି। ବେଆଇନ ମଦ କାରବାର ଚଳାଉଥିବା ବେପାରୀଙ୍କ ତାଲିକା ପୋଲିସ ଓ ଅବକାରୀ ବିଭାଗ ପାଖରେ ରହିଛି। ଏନେଇ ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର କୁହନ୍ତି, ବେଆଇନ ମଦ କାରବାର ଓ ଗଞ୍ଜେଇ ଚୋରା ଚାଲାଣ ଉପରେ ପୋଲିସ କଡା ନଜର ରଖିଛି। ଗତ କିଛି ଦିନ ତଳେ ସଦର ଥାନା ପୋଲିସ ଗଜପତିରୁ ଗଞ୍ଜେଇ ଜଗଦ୍ଦଳପୁର ଗ୍ରାମ ଦେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ କାର ସହ ୬୩ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିଲା। ଏପରିକି ୨ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ସେହିପରି ଚୋରା ଦେଶୀ ମଦ ବେପାରୀଙ୍କ ଉପରେ ପୋଲିସ କଡା ନଜର ରଖିଛି ବୋଲି ଅବକାରୀ ଇନ୍ସପେକ୍ଟର ରୋଶନ ହଁ।ସଦା ସୂଚନା ଦେଇଛନ୍ତି।