ବଢୁଛି ସ୍ମାର୍ଟଫୋନ୍‌ ବ୍ୟବହାର: ବର୍ଷକୁ ୭୫ ଦିନ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଦିନକୁ ଘଣ୍ଟା ଘଣ୍ଟା କାଳ ମୋବାଇଲ୍‌ ଫୋନ୍‌ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଉଛି। ଯଦି ଏପରି ଅଭ୍ୟାସ ଜାରି ରୁହେ ତା’ହେଲେ ଆଗାମୀ ଦିନରେ ଏହା ମଣିଷର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ବିଶେଷ କ୍ଷତି ପହଞ୍ଚାଇବ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଭାରତୀୟ ବର୍ଷକ ମଧ୍ୟରେ ୧୮୦୦ ଘଣ୍ଟା ଅର୍ଥାତ୍‌ ୭୫ ଦିନ ମୋବାଇଲ୍‌ ବ୍ୟବହାର କରୁଛନ୍ତି। ଚାଇନିଜ୍‌ ସ୍ମାର୍ଟଫୋନ୍‌ ଭିଭି ଏବଂ ସାଇବର ମିଡିଆ ରିସର୍ଚ୍ଚ (ସିଏମ୍‌ଆର୍‌)ର ଜଏଣ୍ଟ ସର୍ଭେରୁ ଏହି ତଥ୍ୟ ହାସଲ କରାଯାଇଛି। ମୋବାଇଲ୍‌ ବ୍ୟବହାର କରିବା ଏଭଳି ଖରାପ ଅଭ୍ୟାସ ହୋଇଯାଇଛି, ଯାହାଫଳରେ ଏବେ ମୋବାଇଲ୍‌ ବିନା ରହିବା ଅସମ୍ଭବ ଭଳି ଲାଗୁଛି ବୋଲି ସର୍ଭେରେ ସାମିଲ ହୋଇଥିବା ଲୋକେ ମତ ଦେଇଛନ୍ତି। ସର୍ଭେରୁ ଜଣାପଡ଼ିଛି ଯେ ସ୍ମାର୍ଟଫୋନ୍‌ ବ୍ୟବହାର ବଢ଼ିଛି। ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅନ୍ୟ ଡିଭାଇସ୍‌ ମଧ୍ୟରୁ ସ୍ମାର୍ଟଫୋନ୍‌ ସବୁଠୁ ବେଶି ଲୋକପ୍ରିୟତା ହାସଲ କରିଛି ବୋଲି ସିଏମ୍‌ଆର୍‌ ଗ୍ରୁପର ଇଣ୍ଟେଲିଜେନ୍ସ ଇଣ୍ଡଷ୍ଟ୍ରି ହେଡ୍‌ ପ୍ରଭୁରାମ କହିଛନ୍ତି। ସର୍ଭେ ବେଳେ ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଛନ୍ତି, ଫୋନ୍‌ ବ୍ୟବହାର ନ କରି ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କ ସହ ୫ମିନିଟ୍‌ ମଧ୍ୟ କଥା ହେବା ସମ୍ଭବ ହୋଇପାରୁନି। ସେହିପରି ସୁଖୀ ଜୀବନ ପାଇଁ ମୋବାଇଲ ବ୍ୟବହାର ଅପେକ୍ଷାକୃତ କମ୍‌ କରିବା ଦରକାର ବୋଲି ୫ରୁ ୩ଜଣ ମାନିଛନ୍ତି। ଦେଶର ପ୍ରମୁଖ ୮ଟି ସହରରେ ଏହି ସର୍ଭେ କରାଯାଇଥିଲା। ଏଥିସହ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଲୋକଙ୍କ ମତାମତ ନିଆଯାଇଥିଲା। ସର୍ଭେରେ ପ୍ରାୟ ୨ହଜାର ଲୋକ ସାମିଲ ହୋଇଥିଲେ।

Share