ବଣପାରିଆ ଗାଁ ପୋଖରୀରେ ବିଦେଶୀ ପକ୍ଷୀ

ଖଇରା, ୨।୧(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ସୋର-କୁପାରୀ ରାସ୍ତାର ଅନତିଦୂରରେ ଥିବା ବଣପାରିଆ ପୋଖରୀକୁ ବିଦେଶୀ ପକ୍ଷୀଙ୍କ ଆଗମନ ପରିବେଶକୁ ଆକର୍ଷଣୀୟ କରିଛି । ପ୍ରତିବର୍ଷ ଶୀତଋତୁ ହେଲେ ଏହି ପୋଖରୀକୁ ଦଳ ଦଳ ହୋଇ ଏହି ପକ୍ଷୀମାନେ ଖାଦ୍ୟ ଅନ୍ବେଷଣ ସହ ତଥା ଅଣ୍ଡା ଦେବା ପାଇଁ ଆସିଥାନ୍ତି । କେହି କେହି ଏହାକୁ ସାଇବେରିଆନ ପକ୍ଷୀ ବୋଲି କହିଥାନ୍ତି । ଅଣ୍ଡାରୁ ଛୁଆ ଫୁଟି ବଡ ହେବା ପରେ ପକ୍ଷୀମାନେ ଉଡି ତାଙ୍କ ପୂର୍ବସ୍ଥାନକୁ ପଲାଇଯାଇଥାନ୍ତି। ତେବେ ଏହି ସ୍ଥାନ ନୂତନ ପକ୍ଷୀ ପାଇଁ ଧୀରେ ଧୀରେ ଅସୁରକ୍ଷିତ ହୋଇପଡିଥିବାରୁ ପରିବେଶବିତ୍‌ ତଥା ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ତୁରନ୍ତ ସେମାନଙ୍କ ସୁରକ୍ଷା ପାଇଁ ସରକାର ଧ୍ୟାନ ଦେବା ଦରକାର ବୋଲି ଏହି ଗ୍ରାମର ବାସିନ୍ଦା ତଥା ନଛିପୁର ହାଇସ୍କୁଲର ପ୍ରଧାନଶିକ୍ଷକ ରାମଚନ୍ଦ୍ର ପତ୍ରୀ କହିଛନ୍ତି। ଏହି ବିଦେଶାଗତ ପକ୍ଷୀଗୁଡିକ ଡିସେମ୍ବରରୁ ଆସି ମାର୍ଚ୍ଚରୁ ଏପ୍ରିଲ ପର୍ଯ୍ୟନ୍ତ ରହିଥାନ୍ତି। ସେଠିକାର ପିଲାମାନେ ଢେଲା, ପଥର ଫୋପାଡି ସେମାନଙ୍କ ଚଳାଚଳରେ ବାଧା ଦେଇଥାନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ଏହାକୁ ଗୁରୁତର ସହ ବିଚାର କରି କିଭଳି ସର୍ବସାଧାରଣଙ୍କ ନିମନ୍ତେ ସଚେତନ ଫଳକ ଲଗାଯାଇପାରିବ ଏବଂ ପକ୍ଷୀମାନଙ୍କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତବିଶେଷଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ଗ୍ରାମର ଭାଗୀରଥି ପାଢୀ କହିଛନ୍ତି । ଏ ସମ୍ପର୍କରେ କୁପାରୀ ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁଙ୍କ ମତାମତ ନେବାରେ ଏଥିଲାଗି ଜଣେ ଗାର୍ଡକୁ ମୁତୟନ କରାଯିବା ତଥା ସଚେତନତାଫଳକ ଲଗାଇବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।