ବଣବୁଦା ସଫେଇ ନଁ। ରେ ଗଛ କଟା

ଚମ୍ପୁଆ, ୭ା୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନରେ ବନ ବିଭାଗ ପକ୍ଷରୁ ବଣବୁଦା ସଫା ନାମରେ ଶାଳ ଆଦି ଗଛ କଟାଯାଉଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ସବୁଆଡ଼େ ବନ ସମ୍ପଦ କ୍ଷୟ ହେଉଥିବା ବେଳେ ସତର୍କତା ଅବଲମ୍ବନ ନ କରି ଏଭଳି ଗଛ କଟାଯିବା ପରିବେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।
ସମ୍ପ୍ରତି ଜଙ୍ଗଲ ମଧ୍ୟରେ ଅନାବନା ବଣବୁଦା ସଫେଇ କରିବା ଆଳରେ ବନ ବିଭାଗ ପକ୍ଷରୁ ଶ୍ରୀଧରପୁର, କଇଁତା, ପତଳା ଆଦି ଅଞ୍ଚଳରେ ଏକ ସପ୍ତାହେ ହେବ ଗଛ କଟାଯାଉଛି। ଏପରି କି ଏହି କାର୍ଯ୍ୟରେ ବୃକ୍ଷ ଚିହ୍ନି ନ ଥିବା ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବାରୁ ବହୁ ଔଷଧୀୟ ଲତା ଓ ଅନ୍ୟ ଗଛ ନଷ୍ଟ ହେଉଛି। ଏହି ଖଣି ଖାଦାନଭରା ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି ପରିବେଶର ସନ୍ତୁଳନ ରକ୍ଷା କରିବା ବଦଳରେ ବନ ବିଭାଗର ଅନ୍ଧାଧୁନିଆ ଗଛକଟା ନେଇ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ରମାକାନ୍ତ ପ୍ରଧାନ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ସହଯୋଗକ୍ରମେ ଚମ୍ପୁଆ ବ୍ଲକର ଜଙ୍ଗଲ ସୁରକ୍ଷା ନେଇ ସଚେତନତା ବୃଦ୍ଧି ପାଇଛି। ସ୍ଥାନୀୟ ଜଙ୍ଗଲରେ ବହୁ ଔଷଧୀୟ ବୃକ୍ଷ ରହିଥିବାରୁ ସେଥିରୁ ନାନା ଔଷଧ ପ୍ରସ୍ତୁତ କରାଯାଉଛି। ଏଣୁ ମୂଲ୍ୟବାନ ତଥା ଔଷଧୀୟ ଗଛ ନଷ୍ଟ ନ ହେବା ଉଚିତ। ଜାମୁଦଲକ ସରପଞ୍ଚ ରମେଶ ମୁଣ୍ଡା କହିଛନ୍ତି ଯେ, ଏ ଅଞ୍ଚଳର ଲୋକେ ବାପା ଦାଦା ଅମଳରୁ ଘରପିଛା ଧାନ ସଂଗ୍ରହ କରି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲେ। ଏବେ ବନ ବିଭାଗ ନୂଆ ଜଙ୍ଗଲ ସୃଷ୍ଟି କରିପାରୁ ନ ଥିବା ବେଳେ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଠିକ୍‌ ନୁହେଁ। ଓଡ଼ିଶା ଜନସେବା ସଙ୍ଗଠନ ରାଜ୍ୟ ସମ୍ପାଦକ ମହେନ୍ଦ୍ର ଗିରି କହିଛନ୍ତି ଯେ, ଜଙ୍ଗଲ ଭଳି ମୂଲ୍ୟବାନ ସମ୍ପତ୍ତିିର ସୁରକ୍ଷା ଗ୍ରାମବାସୀଙ୍କ ହାତରେ ରହିଥିବା ବେଳେ ସେମାନଙ୍କୁ ଅଣଦେଖା କରି ଜଙ୍ଗଲ ସଫେଇ ଆଳରେ ହେଉଥିବା ଗଛକଟା ବନ୍ଦ ହେବା ଦରକାର।