ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ବନ୍ଦ: ରୋଗୀ ହନ୍ତସନ୍ତ

ବଣାଇ, ୧।୩(ସ୍ବ.ପ୍ର)- ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛିଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି। ଏଥିଯୋଗୁ ରୋଗୀ ହନ୍ତସନ୍ତ ହେଉଥିବା ଜଣାପଡିଛି। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଠାକୁ ଅଧିକ ଗାଡ଼ି ଦେବାର ଆବଶ୍ୟତା ରହିଛି। ଏଠାରେ ଦୁଇଟି ୧୦୮ ଗାଡି ଆବଶ୍ୟକ ହେଉଥିବାବେଳେ ମାତ୍ର ଗୋଟିଏ ଗାଡି ରହିଛି। ତେବେ ଏହି ଗାଡିଟି ଗତ ୧୨ଦିନ ହେବ ଅଚଳହୋଇ ପଡି ରହିଛି। ତେବେ ଏହା ଅତ୍ୟନ୍ତ ପୁରୁଣା ହୋଇଥିବା ବେଳେ ମରାମତି ଅଭାବରୁ ଏହାକୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପରିତ୍ୟକ୍ତ ହିସାବରେ ପକାଇ ରଖାଯାଇଛି। ସେହିପରି ଏଠାରେ ଥିବା ଅନ୍ୟ ଦୁଇଟି ସରକାରୀ ଆମ୍ବୁଲାନ୍ସ ଥିବାବେଳେ ଏହାକୁ ଚଳାଇବା ପାଇଁ ଜଣେ ମାତ୍ର ଚାଳକ ରହିଛନ୍ତି। ଫଳରେ ଜରୁରୀକାଳୀନ ରୋଗୀଙ୍କୁ ଏଠାରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ସୂଚାରୁ ରୂପେ ହୋଇପାରୁ ନାହିଁ। ଜଣେ ମାତ୍ର ଚାଳକ ରୋଗୀ ଧରି ରାଉରକେଲା ଗଲେ ଏଠାରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡୁଛି। ଗତ ୭ଦିନ ତଳେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ସେବା ନ ପାଇ ଜଣେ ରୋଗୀର ମୃତ୍ୟୁ ଘଟିଛି। ଗତ ୭ଦିନ ତଳେ ଖୁଣ୍ଟଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ରହିଥିବା ଧୁଡି ଗ୍ରାମର ଜଣେ ବାଳକର ଆମ୍ବୁଲାନ୍ସ ଅଭାବରୁ ଚିକିତ୍ସା ନ ପାଇ ମୃତ୍ୟୁ ହୋଇଯାଇଛି। ଉପଖଣ୍ଡ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏହାର ବିକଳ୍ପ ଭାବେ ନିକଟସ୍ଥ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଅନ୍ୟ ଏକ ଆମ୍ବୁଲାନ୍ସ ମଗାଇ ରୋଗୀଙ୍କୁ ରାଉରକେଲା ପଠାଇବାରେ ଅତ୍ୟଧିକ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଜଳନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଯୋଗ୍ୟ ଯେ, ନିକଟରେ ଜିଲା ପ୍ରଶାସନ ବିଭାଗରୁ ଜିଲା ଖଣିଜ ପାଣ୍ଠିରୁ ଲହୁଣୀପଡାକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବା ବେଳେ ସବୁବେଳେ ଦରକାର ପଡୁଥିବା ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଅବହେଳା କରାଯାଇଛି। ନୂତନ ଆମ୍ବୁଲାନ୍ସ ନ ଯୋଗାଇବା ଘୋର ପରିତାପରେ ବିଷୟ ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ଏଥିପ୍ରତି ତୁରନ୍ତ ସମାଧାନ କରିବା ପାଇଁ ସୁନ୍ଦରଗଡ଼ ଜିଲାପାଳଙ୍କଠାରେ ବଣାଇ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଉଛି।

Share