ବଣାଇ ବିଧାୟକଙ୍କ ପିଏସ୍‌ଓଙ୍କ ଆତ୍ମହତ୍ୟା: ସର୍ଭିସ ରିଭଲଭର୍‌ରୁ ନିଜକୁ କଲେ ଗୁଳି

ବଣାଇଁ, ୧୮।୬(ସ୍ବ.ପ୍ର.)- ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଲହୁଣିପଡ଼ା ଥାନା ଅନ୍ତର୍ଗତ କୁର୍ଡା ଗ୍ରାମରେ ଥିବା ନିଜ ବାସଭବନରେ ଗୁରୁବାର ସକାଳୁ ଛାତ ଉପରକୁ ଯାଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ପ୍ରକାଶ ଯେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସ୍‌ଓ ଭାବେ ଡମ୍ବରୁ ସାହୁ ମୁତୟନ ଥିଲେ । ଗତ କିଛି ଦିନ ହେଲା ସେ ନିଜର ବିବାହ ଠିକ୍‌ ହେବା ନେଇ ଛୁଟି ନେଇଥିଲେ । ତେବେ ଆଜି ତାଙ୍କର ବିବାହ ଚୁଡାନ୍ତ କରିବା ପାଇଁ ପରିବାର ତରଫରୁ ଘଟଗାଁ ତାରିଣୀ ମନ୍ଦିରକୁ ଯିବାକୁ ଦିନ ଧାର୍ଯ୍ୟ ମଧ୍ୟ ହୋଇଥିଲା । ହେଲେ ହଠାତ ସକାଳେ ଛାତ ଉପରେ ବନ୍ଧୁକ ଚାଳନା ଶବ୍ଦ ଶୁଣାଯାଇଥିଲା। ଡମ୍ବରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଛଟପଟ ହେଉଥିବା ପରିବାରଲୋକେ ଓ କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମଜବୁର୍‌ ରେହମାନ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବଣାଇଁ ଅତିରିକ୍ତ ଜିଲାପାଳ ରବିନ୍ଦ୍ର କୁମାର ସେଠୀ ମାଜିଷ୍ଟେଟ୍‌ ଭାବେ ଉପସ୍ଥିତ ରହି ବ୍ୟବଚ୍ଛେଦ କରୁଥିବା ଜଣାପଡ଼ିଛି । ତେବେ ପୋଲିସ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ କହି ରିଭଲଭର୍‌ ସଫା କରିବା ସମୟରେ ଅଘଟଣ ବୋଲି ସୂଚନା ଦେଇଛନ୍ତ। ମୃତ ଡମ୍ବରୁଙ୍କର ପରିବାରରେ ପାଞ୍ଚ ଭଉଣୀ (ସମସ୍ତେ ବିବାହିତ ), ଜଣେ ସାନ ଭାଇ ଓ ମା ଅଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Share