ବଣ୍ଡାଖାଲି ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଯବାନ ଗୁଳି ବିନିମୟ

ଭବାନୀପାଟଣା/ଲାଞ୍ଜିଗଡ଼, ୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଜଙ୍ଗଲରେ ବୁଧବାର ସକାଳେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସ ବାରାକ୍‌ଠାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ, କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀର ଏହି ସୂଚନା ଦେଇଛନ୍ତି ।
ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଗ୍ରାମ ଜଙ୍ଗଲରେ ସକାଳ ସାଢେ ୭ଟାରୁ ୮ଟା ମଧ୍ୟରେ ଏସ୍‌ଓଜି ଯବାନ୍‌ କୋମ୍ବିଂ ଚଳାଇଥିଲେ। ଏହି ସମୟରେ ଯବାନଙ୍କ ଉପରକୁ ମାଓବାଦୀମାନେ ହଠାତ୍‌ ଗୁଳିମାଡ଼ ଆରମ୍ଭ କରିଥିଲେ। ଏଥିରୁ ଯବାନମାନେ ବର୍ତ୍ତିଯାଇଥିଲେ । ଏହାପରେ ଯବାନମାନେ ମାଓବାଦୀଙ୍କୁ ଆମତ୍ସମର୍ପଣ କରିବା ସକାଶେ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ମାଓବାଦୀମାନେ ଯବାନଙ୍କୁ ଗୁଳି ଚଳାଇଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। କିଛି ସମୟ ଉଭୟ ପଟୁ ଗୁଳିଚାଳନା ହେବା ପରେ ମାଓବାଦୀମାନେ ଛତ୍ର ଭଙ୍ଗଦେଇ ସେଠାରୁ ଚାଲିଯାଇଥିଲେ। ଏହି ଗୁଳିବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଯବାନମାନେ ଘଟଣାସ୍ଥଳରୁ କିଛି ମାଓବାଦୀ ସାମଗ୍ରୀ ସହ ଥ୍ରୀ ନଟ୍‌ ଥ୍ରୀ ବନ୍ଧୁକ ଜବତ କରିଛନ୍ତି। ଡିଆଇଜିଙ୍କ କହିବା ଅନୁଯାୟୀ ସାଧାରଣ ଲୋକଙ୍କୁ ପୋଲିସ ଇନ୍‌ଫର୍ମର୍‌ ନାମରେ ହତ୍ୟା କରାଯାଉଛି। ଗତ ରବିବାର ପାହାଡପଦର ହାଟରେ ଦିନ ଦ୍ବିପହରରେ ଠିକାଦାର ରାଜୀନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଥିଲେ। ଗତ ୨୧ ତାରିଖରେ ଭୀମ ଦୋରାଙ୍କୁ ପୋଲିସ ଇନ୍‌ଫର୍ମର୍‌ ଭାବେ ହତ୍ୟା କରାଯାଇଥିଲା। ଏହାକୁ ପୋଲିସ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅଞ୍ଚଳର ବିଭିନ୍ନ ସ୍ଥାନରେ କୋମ୍ବିଂ ଅପରେଶନ ଜାରି ରଖିଥିଲା। କଳାହାଣ୍ଡି ଜିଲାରୁ ମାଓବାଦୀଙ୍କୁ ନିପାତ୍‌ ସକାଶେ ସମସ୍ତ କାର୍ଯ୍ୟକ୍ରମ ଜାରି ରହିବ। ମାଓବାଦୀମାନେ ଲୁଚିଛପି ନିରୀହ ଲୋକଙ୍କୁ ହତ୍ୟା କରୁଥିବା ବେଳେ ପୋଲିସ ମାଓବାଦୀମାନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରୁଥିବା ଡିଆଇଜି ଲାଲ ପ୍ରକାଶ କରିଥିଲେ।

Share