Categories: ଜାତୀୟ

ବଦଳିବ ଜେଲ ମାନୁଆଲ୍‌: ବନ୍ଦୀଙ୍କୁ ଜାତି ଆଧାରରେ କାମ ବାଣ୍ଟିବା ବନ୍ଦ

ନୂଆଦିଲ୍ଲୀ,୪ା୧୦(ପି.ଟି.):ଦେଶର ୧୧ ରାଜ୍ୟରେ ଜେଲ୍‌ ନିୟମାବଳୀରେ ରହିଥିବା ଜାତିଭିତ୍ତିକ ପକ୍ଷପାତିତାକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଉକ୍ତ ମାନୁଆଲ ଅନୁଯାୟୀ ବନ୍ଦୀମାନଙ୍କୁ କାର୍ଯ୍ୟ ବଣ୍ଟନ ବେଳେ ସେମାନଙ୍କୁ ଜାତିକୁ ଆଧାରକରି ପକ୍ଷପାତ କରାଯାଉଥିଲା ଓ ଅଲଗା ଓ୍ବାର୍ଡରେ ପୃଥକ ରଖାଯାଉଥିଲା। ୩ ମାସ ମଧ୍ୟରେ ଜେଲ ନିୟମାବଳୀରେ ପରିବର୍ତ୍ତନ ଆଣିବା ପାଇଁ ସୁପ୍ରିମକୋର୍ଟ ଉକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି, ପକ୍ଷପାତର ପ୍ରତିକାର ପାଇଁ ରାଷ୍ଟ୍ରର ସକାରାତ୍ମକ ଦାୟିତ୍ୱ ରହିଛି। ଜେଲ ଭିତରେ ଜାତି ଆଧାରିତ ପାତରଅନ୍ତର ଦୂର କରିବା ନିମନ୍ତେ ଖଣ୍ଡପୀଠ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନର ଜେଲ ମାନୁଆଲରେ ରହିଥିବା ବ୍ୟବସ୍ଥା ଅସାମ୍ବିଧାନିକ। ସମସ୍ତ ରାଜ୍ୟଙ୍କୁ ସେମାନଙ୍କ ଜେଲ ମାନୁଆଲରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସେହିପରି ରାଜ୍ୟ ଜେଲ ନିୟମାବଳୀରେ ଅଭ୍ୟାସଗତ ଅପରାଧୀ ଶବ୍ଦ ଜାତି ଆଧାରିତ ହୋଇଥିଲେ, ତାହା ମଧ୍ୟ ଅସାମ୍ବିଧାନିକ ବୋଲି ସିଜେଆଇ କହିଛନ୍ତି। ଜେଲଗୁଡ଼ିକରେ ଜାତି ଆଧାରରେ ବନ୍ଦୀମାନଙ୍କ ପ୍ରତି ପକ୍ଷପାତ କରାଯାଉଥିବା ଜାଣିବା ପରେ ସର୍ବୋଚ୍ଚ ଅଦାଲତ ଏହାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଥିଲେ। ରାୟର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ରାଜ୍ୟଗୁଡ଼ିକୁ କହିଛନ୍ତି।

Share