ବଦଳିବ ଝାରସୁଗୁଡ଼ାର ରୂପ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ) :ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସହର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍‌ ଓ ଜିଲାପାଳ ସରୋଜ କୁମାର ସାମଲଙ୍କ ସମେତ ଜିଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ନୂତନ ଝାରସୁଗୁଡ଼ା ନିର୍ମାଣର ସମ୍ଭାବ୍ୟ ଯୋଜନାଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଆଗାମୀ ୪୦ରୁ ୫୦ ବର୍ଷକୁ ଦୃଷ୍ଟିରେ ରଖି ସହର ସୀମା ସଲଗ୍ନ ଅଞ୍ଚଳରେ ନୂତନ ଟାଉନ୍‌ଶିପ୍‌ ନିର୍ମାଣ କରିବା, ବର୍ତ୍ତମାନ ଥିବା ସହର ମଧ୍ୟରେ ଆବାସିକ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସୃଷ୍ଟି କରିବା ଏବଂ ଝାରସୁଗୁଡ଼ାକୁ ଏକ ଆଧୁନିକ ସହରାଞ୍ଚଳ ଓ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ ଭାବରେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ନୂତନ ଟାଉନ୍‌ଶିପ୍‌ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ମୁଖ୍ୟ ଶାସନ ସଚିବ ଜିଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଝାରସୁଗୁଡ଼ାରେ କ୍ୟାନସର୍‌ ଓ ହାର୍ଟ ହସ୍ପିଟାଲ୍‌, ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ଓ ଷ୍ଟାଡିୟମ୍‌ ପ୍ରତିଷ୍ଠା ହେବାକୁ ଯାଉଛି। ଏହାସହ ଏଠାରେ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଫଳରେ ଝାରସୁଗୁଡ଼ା ଏକ କ୍ରମବର୍ଦ୍ଧିଷ୍ଣୁ ସହରରେ ପରିଣତ ହେଉଛି। ଏବେ ବେଲପାହାଡ଼, ବ୍ରଜରାଜନଗର ସହ ସୁନ୍ଦରଗଡ଼ ମଧ୍ୟରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସହର ମଧ୍ୟରେ ଥିବା ସରକାରୀ ଜମି ଚିହ୍ନଟ କରି ତା’ର ଉନ୍ନତି କରିବା ସହ ସହର ବାହାରେ ନୂଆ ଟାଉନ୍‌ଶିପ୍‌ ପ୍ରତିଷ୍ଠା କରିବା ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ଲହଣ୍ଡାବୁଡ୍‌, ଏଚ୍‌ କଟାପାଲି ଓ ବେହେରାପାଟ ମଧ୍ୟରେ ପ୍ରାୟ ୧୫୦୦ ଏକର ସରକାରୀ ଜାଗା ଥିବାବେଳେ ଏହି ସ୍ଥାନରେ ଭବିଷ୍ୟତରେ ସହରାଞ୍ଚଳ ପରିସୀମା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶକ ଶୁଭେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share