Categories: ଖେଳ

ବଦଳିବ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପ

କରାଚୀ,୭।୮- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦଳର କୋଚ୍‌ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବ ନାହିଁ ବୋଲି ବୁଧବାର ଘୋଷଣା କରିଛି। ଫଳରେ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ବୋଲିଂ କୋଚ୍‌ ଆଝାର ମେହମୁଦ, ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବାର ଓ ଟ୍ରେନର ଗ୍ରାଣ୍ଟ ଲୁଡେନ ପଦ ଛାଡ଼ିବେ। ପିସିବି କ୍ରିକେଟ କମିଟି ଶୁକ୍ରବାର ବୈଠକରେ ସଦସ୍ୟମାନେ କୋଚ୍‌ ପରିବର୍ତ୍ତନ କରିବା ନେଇ ସୁପାରିସ ଦେଇଥିଲେ। ପିସିବି ମ୍ୟାନେଜର ଓ୍ବାସିମ ଖାନଙ୍କ ନେତୃତ୍ୱାଧୀନ କମିଟିରେ ଓ୍ବାସିମ ଆକ୍ରମ, ମିଶବା ଉଲ ହକ୍‌ ଓ ଉରୁଜ ମମତାଜ ସଦସ୍ୟ ଥିଲେ। କମିଟିର ସୁପାରିିସକୁ ମୁଁ ଗ୍ରହଣ କରୁଛି। ପାକିସ୍ତାନ ଦଳକୁ ନୂଆ ନେତୃତ୍ୱ ଦରକାର। ପିସିବି ପକ୍ଷରୁ ମୁଁ ଆର୍ଥର, ଫ୍ଲାଓର, ଲୁଡେନ ଓ ମେହମୁଦଙ୍କୁ ଧନ୍ୟବାଦ ଦେଉଛି। ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଦଳ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଆମେ ଦଳକୁ ଆହୁରି ଆଗକୁ ନେବାକୁ ଚାହୁଁ ବୋଲି ପିସିବି ମୁଖ୍ୟ ଇସାନ ମାନି କହିଛନ୍ତି। ଉଲ୍ଲେଖଥାଉ କି, ୨୦୧୬ରେ ଆର୍ଥର ପାକିସ୍ତାନ ଦଳର କୋଚ୍‌ ଦାୟିତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଏଥିସହ ଦଳ ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହାତେଇଥିଲା। ଚୁକ୍ତି ଅନୁଯାୟୀ ତାଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାର ଥିଲା। କିନ୍ତୁ ଆର୍ଥର କାର୍ଯ୍ୟକାଳ ବଢ଼ାଇବା ନେଇ ପିସିବି କ୍ରିକେଟ କମିଟିକୁ ପ୍ରସ୍ତାବ ଦେଇଥିଲେ।

Share