ବଦଳିବ ଯାଉଁଳିପୋଖରୀ ମଠ ରୂପରେଖ

ଢେଙ୍କାନାଳ ଅଫିସ, ୨୦।୧: ବଦଳିବ ଐତିହ୍ୟସମ୍ପନ୍ନ ଯାଉଁଳିପୋଖରୀ ମଠର ରୂପରେଖ। ଏହାର ଉନ୍ନତୀକରଣ ଲାଗି ଆରମ୍ଭ ହୋଇଛି ପ୍ରୟାସ। ଏ ନେଇ ରବିବାର ମଠାଧୀଶ ମହନ୍ତ ମୋହନଦାସଜୀ ମହାରାଜଙ୍କ ପୌରୋହିତ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ମହେଶ ସାହୁ ଯୋଗଦେଇ କହିଲେ, ସମସ୍ତଙ୍କ ସହଯୋଗ ମିଳିଲେ ଏହି ମଠ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକସ୍ଥଳୀ ରେ ପରିଣତ ହୋଇପାରିବ।
ଉନ୍ନୟନ କମିଟି ସଭାପତି ପ୍ରଦୀପ କୁମାର ଦାସ ମଠର ଉନ୍ନତୀକରଣ ଲାଗି ଗୁରୁତ୍ୱପୂର୍ଣ୍ଣ ୧୩ଟି ପ୍ରସ୍ତାବ ଆଗତ କରିଥିଲେ। ମଠର ସୁରକ୍ଷା ପାଇଁ ପାଚେରି, ଭକ୍ତଙ୍କ ପ୍ରାତଃଭ୍ରମଣ ଲାଗି ପାଦଚଲା ରାସ୍ତା, ଅବଲୁପ୍ତ ଗୋଶାଳା ଓ ଛାତ୍ରାବାସ ନିର୍ମାଣ, ମନ୍ଦିର ମରାମତି, ଫଳଫୁଲ ଉଦ୍ୟାନ, ପୋଖରୀର ଗାର୍ଡୱାଲ ନିର୍ମାଣ, ଆଗନ୍ତୁକଙ୍କ ରହିବା ବ୍ୟବସ୍ଥା, ପାରାୟଣସ୍ଥଳର ଉନ୍ନତୀକରଣ, ମଠର ବିଭିନ୍ନ ପ୍ରକୋଷ୍ଠର ମରାମତି ଆଦି ପ୍ରସ୍ତାବଗୁଡ଼ିକ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଶିକ୍ଷାବିତ୍‌ ପ୍ରଦ୍ୟୁମ୍ନ ରଥ, ବ୍ରହ୍ମାନନ୍ଦଜୀଦାସ ମହାରାଜ, ଆଇନଜୀବୀ ଦିଲୀପ ମଲ୍ଲିକ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ, ତହସିଲଦାର, ପୌରସଂସ୍ଥା ଏବଂ ଦେବୋତ୍ତର ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।