ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ଯୁକ୍ତ ୩ ପରୀକ୍ଷା ଢାଞ୍ଚା ବଦଳିବ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍‌ ମଧ୍ୟ ସେହିପରି ପ୍ରସ୍ତୁତ କରାଯାଇଛି। ସେଥିପାଇଁ ଚଳିତ ବର୍ଷଠାରୁ ନୂଆ ସିଲାବସ୍‌ ଲାଗୁ ସହ ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପରୀକ୍ଷାରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ ମଲ୍ଟି ପ୍ୟାଟର୍ନ ପ୍ରଶ୍ନ। ଏଣିକି ୧, ୨, ୩ ଓ ୫ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ। ଯୁକ୍ତ ୩ ପରୀକ୍ଷାରେ ପ୍ରଥମ ବର୍ଷରେ ଆଡମିଶନ୍‌ ନେଇଥିବା ଛାତ୍ରୀଛାତ୍ରଙ୍କଠାରୁ ଏହି ସଂସ୍କାରମୂଳକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ପରେ ହିଁ ନୂଆ ଢାଞ୍ଚାରେ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ ହୋଇସାରିଛି। ପ୍ରଶାସନିକ ପରୀକ୍ଷା କ୍ଷେତ୍ରରେ ଓଡ଼ିିଆ ଛାତ୍ରୀଛାତ୍ରମାନେ ବହୁ ପଛରେ ରହୁଛନ୍ତି। ଏହି ସ୍ଥିତିରେ ସୁଧାର ଆଣିବା ଲାଗି ଚଳିତ ବର୍ଷ ଠାରୁ ଲଜିକାଲ୍‌ ରିଜନିଂ ଓ କ୍ୱାଣ୍ଟିଟେଟିଭ୍‌ ଆପ୍ଟିଚ୍ୟୁଡ୍‌ ଏବଂ ଇଂରାଜି ବିଷୟ ଛାତ୍ରୀଛାତ୍ରଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। ଉଭୟ ବିଷୟ ୧୦୦ ମାର୍କ ଲେଖାଏ ରହିବ। ଫଳରେ ଛାତ୍ରୀଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି କଲେଜ୍‌ ସ୍ତରରୁ ହିଁ ଶିକ୍ଷା ପାଇପାରିବେ। ସୂଚନାଯୋଗ୍ୟ, ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ପରୀକ୍ଷା ପ୍ରଣାଳୀ ଲାଗୁ ହେବ। କିନ୍ତୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରୀଛାତ୍ର ପୁରୁଣା ଢାଞ୍ଚାରେ ପରୀକ୍ଷା ଦେବେ।

Share