ବଦଳିବ ଶିଆଡିମାଳିଆର ରୂପରେଖ

ଆନନ୍ଦପୁର,୧୩। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ସହରରେ ଥିବା ଐତିହାସିକ କିମ୍ବଦନ୍ତୀ ଶିଆଡିମାଳିଆର ମା’ ଧନେଇ ଠାକୁରାଣୀଙ୍କ ପାରିପାର୍ଶ୍ୱିକ ସ୍ଥିତି ବଦଳିବାକୁ ଯାଉଛି। ଶିଆଡିମାଳିଆର ୪୦୦ ଏକର ବିଶିଷ୍ଟ ପତିତ ଜମିରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା କେତେକାଂଶରେ ଉଦ୍ଧାର କରାଯାଇଛି। ଜବରଦଖଲରେ ରହିଥିବା ଅନ୍ୟ ଜମି ଗୁଡିକ କାଳକ୍ରମେ ଉଦ୍ଧାର କରାଯିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡିଛି। ତେବେ ବଣଜଙ୍ଗଲ ଭରା ଏହି ଐତିହାସିକ ପୀଠ ଧୀରେ ଧୀରେ ତାର ରୂପରେଖ ବଦାଳାଇବା ଆରମ୍ଭ କଲାଣି। ପ୍ରଶାସନିକ ସ୍ତରରେ ଚିହ୍ନଟ ହୋଇଥିବା ୪୦ ଏକରରୁ ଊର୍ଦ୍ଧ୍ୱ ସ୍ଥାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନେଇ ତତ୍ପରତା ଦେଖାଦେଇଛି। ଆନନ୍ଦପୁର ପୌରପରିଷଦ ପକ୍ଷରୁ ଟ୍ରିଟ୍‌ମେଣ୍ଟପ୍ଲାଣ୍ଟ କରାଯିବା ନିମନ୍ତେ ୪ ଏକର ଜାଗା ଚିହ୍ନଟ କରାଯାଇଛି। ଏହି ପ୍ଲାଣ୍ଟରେ ବର୍ଜ୍ୟବସ୍ତୁକୁ ବିନିଯୋଗ କରାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଯିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି। ସେହିପରି ଓଭରହେଡ୍‌ ଟ୍ୟାଙ୍କ ପାଇଁ ୪ ଏକର ଜାଗା ଚିହ୍ନଟ, ଓ୍ବିଣ୍ଡ ପାଓ୍ବାର୍‌ ପ୍ଲାଣ୍ଟ ପାଇଁ ୮୦ ମିଟର୍‌ ଜାଗା ଚିହ୍ନଟ କରାଯାଇଛି। ସେହିପରି ୩୦ ଏକର ବିଶିଷ୍ଟ ପାଟ୍ଟକୁ ଉଦ୍ଧାର କରାଯାଇ ନୌକା ବିହାର କରାଯିବା ନିମନ୍ତେ ୧ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶିଆଡିମାଳିଆରେ କେନ୍ଦ୍ରୀୟ ବିଦ୍ୟାଳୟ। ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଶିଆଡିମାଳିଆର ୮ ଏକର ଜାଗା ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଛି। ଜୁଲାଇ ୧୦ ତାରିଖରେ ଆନନ୍ଦପୁରରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକାରୀ ହେବା ପାଇଁ ମୋହର ବି ଲାଗି ସାରିଛି। ଏହା କିଛି ଦିନ ସ୍ଥାନୀୟ ବ୍ରଜବନ୍ଧୁ ବିଦ୍ୟାପୀଠରେ କାର୍ଯ୍ୟକାରୀ କରାଯିବ। ପରେ ଶିଆଡିମାଳିଆରେ ନୂତନ ଗୃହ ହେଲେ ସେଠାକୁ ସ୍ଥାନାନ୍ତର କରାଯିବ। ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଶାଆଡିମାଳିଆ ଐତିହାସିକ ପୀଠରେ ସରକାରୀ ସ୍ତରରେ ବିଭିନ୍ନ ଅନଷ୍ଠାନ ଅବସ୍ଥାନ ହେବା ଘଟଣାକୁ ନେଇ ଆନନ୍ଦପୁର ଜନସାଧାରଣଙ୍କ ମହଲରେ ଖୁସି ପ୍ରକାଶ ପାଇଛି।