ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି କାମ ତଦାରଖ କରିବା ସହ ବନ୍ଧର ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ଡ୍ୟାମରେ ପୁରୁଣା କାଳିଆ ଯନ୍ତ୍ରାଂଶ ଲାଗିଛି। ଏହାକୁ ବଦଳାଇ ଆଧୁନିକୀକରଣ କରାଯିବା ଉପରେ ମଧ୍ୟ ବିଚାରବିମର୍ଶ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଓବାଇକେ ହାଣ୍ଡା, ପୂର୍ବତନ ଅଧ୍ୟକ୍ଷ ଏ. ବି. ପାଣ୍ଡିଆ, ପୂର୍ବତନ ସଦସ୍ୟ ଏସ.କେ.ଜି. ପଣ୍ଡିତ, ବନ୍ଧ ସୁରକ୍ଷା ମୁଖ୍ୟଯନ୍ତ୍ରୀ ପି.ସି. ସାହୁ, ବନ୍ଧ ସୁରକ୍ଷା ନିର୍ଦ୍ଦେଶକ ଅକ୍ଷୟ ଦାସ, ଜଳ ସମ୍ପଦ ବିଭାଗ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଏମ.କେ. ମହାପାତ୍ର, ସୁଧାକର ପତି, ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁନୀଲ ନାଏକ, ଅଧୀକ୍ଷଣ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ବିଶି, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ନରେଶ ବାରିକ, ଅତିରିକ୍ତ ସ୍ପିଲୱେ ଯନ୍ତ୍ରୀ ହିମାଂଶୁ ମିଶ୍ର ପ୍ରମୁଖ ଡ୍ୟାମ ପରିଦର୍ଶନ କରି ଆଲୋଚନାରେ ସାମିଲ ହୋଇଥିଲେ। କମିଟିର ଅଧ୍ୟକ୍ଷ ପାଣ୍ଡିଆ କହିଛନ୍ତି ଯେ, ଡ୍ୟାମ୍‌ ସୁରକ୍ଷିତ ରହିଛି । ପାଣି ଲିକ୍‌ ହେବା ସ୍ଥାନରେ ମରାମତି କରାଯାଉଛି। କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅତିରିକ୍ତ ସ୍ପିଲୱେ କାମ ମଧ୍ୟ ଠିକ ଭାବେ ଚାଲିଛି। ମ୍ୟାପ ଓ ଅଟକଳ ଅନୁସାରେ ଭଲ ଭାବେ କାମ ହେଉଛି। ବନ୍ଧ ପ୍ୟାଚିଂ ମରାମତି କାମ ମଧ୍ୟ ଠିକ ଭାବେ ଚାଲୁଛି । ଜଳଭଣ୍ଡାର ପଟୁ ମାଟିରେ ପୋତି ହେଉଛି। ହେଲେ ଏତେ ବଡ ବନ୍ଧ ହୋଇଥିବାରୁ ପଟୁମାଟି ଉଦ୍ଧାର କରିବା କଷ୍ଟକର। ଏହାର ବିକଳ୍ପ ବ୍ୟବସ୍ଥା କରାଯାଇ ପଟୁମାଟି ଉଦ୍ଧାର କରାଯିବ। ଗେଟ୍‌ ଓ ଅନ୍ୟାନ୍ୟ ସ୍ଥାନରେ ପୁରୁଣା ଯନ୍ତ୍ରାଂଶ ଲାଗି ରହିଛି । ଏବେ ତାହା ଅତ୍ୟାଧୁନିକ କରଣ କରିବା ଆବଶ୍ୟକ ରହିଛି। ଏ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Share