ବଦଳିଲେ ୧୨ ଓଏଏସ୍‌ ଅଧିକାରୀ

ଭୁବନେଶ୍ୱର,୨୨ା୭(ଅନିଲଦାସ)-ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସୋମବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅବକାରୀ ବିଭାଗ ଅତିରିକ୍ତ କମିଶନର ରାମଚନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ସେକ୍ରେଟାରି ଭାବେ ବଦଳି କରାଯାଇଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ ସେକ୍ରେଟାରି ପ୍ରମୋଦ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ, ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଏଡିଏମ୍‌, ସ୍ମାର୍ଟସିଟି ଲିମିଟେଡ ଜିଏମ୍‌ ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର, ଗଞ୍ଜାମ ଏଡିଏମ୍‌ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସିକା ସମବାୟ ଚିନିକଳ ପରିଚାଳନା ନିର୍ଦ୍ଦେଶକ ଏବଂ ଏସ୍‌ଟି/ଏସ୍‌ସି ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଶୁଭେନ୍ଦ୍ର ସାମଲଙ୍କୁ ଯାଜପୁର ଏଡିଏମ୍‌ ଭାବେ ବଦଳି କରାଯାଇଛି। ସେହିପରି ଯାଜପୁର ଏଡିଏମ୍‌ ଦିବ୍ୟଲୋଚନ ମହାନ୍ତଙ୍କୁ କଟକ ଅବକାରୀ ଯୁଗ୍ମ କମିଶନର, ବାଲିଗୁଡ଼ା ଆଇଟିଡିଏ ପିଏ ମଧୁସୂଦନ ବେହେରାଙ୍କୁ ଭୁବନେଶ୍ୱର ସବ୍‌କଲେକ୍ଟର, ଓଏସଏସସି ସେକ୍ରେଟାରି ସୂର୍ଯ୍ୟସ୍ମିତା ସାହୁଙ୍କୁ ଓଡ଼ିଶା ନିର୍ମାଣ ନିଗମ ପ୍ରଶାସନିକ ଅଧିକାରୀ, ଆଠମଲ୍ଲିକ ସବ୍‌ କଲେକ୍ଟର ତରଣୀ ସୁନାଙ୍କୁ ବଲାଙ୍ଗୀର ଜିଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜଗନ୍ନାଥ ପ୍ରସାଦ ତହସିଲଦାର ମନୋଜ ତ୍ରିପାଠୀଙ୍କୁ ତାଳଚେର ସବ୍‌କଲେକ୍ଟର, ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ବିଏମ୍‌ସି ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

Share