ବଦଳି ନିୟମ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନୀତି ଲାଗୁ ହୋଇଥାଏ। ସର୍ବୋଚ୍ଚ ପ୍ରଶାସନ ଏବଂ ଅନ୍ୟ ପେସାଗତ ବୃତ୍ତିରେ ଏହା ନିୟମିତ ରୂପେ ହୋଇଥାଏ। ହେଲେ ସଚିବାଳୟ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଠିକ୍‌ ଭାବେ ନିୟମିତ ଲାଗୁ ହୋଇ ପାରୁ ନ ଥିବା ଜଣାପଡିଛି। ରାଜ୍ୟ ସରକାର ପଦୋନ୍ନତି ଅଦାଲତ କରି ଯେପରି ଏହି ପ୍ରକ୍ରିୟାରେ ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି, ଅନୁରୂପ ଭାବେ ବଦଳି କ୍ଷେତ୍ରରେ ସେପରି କୌଣସି ସଂସ୍କାର ଗ୍ରହଣ କରାଯାଉ ବୋଲି କର୍ମଚାରୀ ମହଲରେ ସ୍ବର ଉଠିଛି।
ପୂର୍ବରୁ ଅନ୍ୟ କର୍ମଚାରୀଙ୍କ ପରି ସଚିବାଳୟ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ୬ ବର୍ଷିଆ ବଦଳି ନିୟମ ରହିଥିଲା। ହେଲେ ଏହି ନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଯାହାଫଳରେ ଜଣେ ଜଣେ କର୍ମଚାରୀ ଗୋଟିଏ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ୨୦୦୫ରୁ ୨୦୦୮ ମଧ୍ୟରେ ୪ ଥର ଯଥାକ୍ରମେ ୧୫ ବର୍ଷ, ୧୪ ବର୍ଷ, ୧୩ ବର୍ଷ ଏବଂ ୧୨ ବର୍ଷ ଅବଧିକୁ ନେଇ ବଦଳି କରାଗଲା। ଅପରପକ୍ଷେ ୨୦୦୯ ପରେ ବିଭିନ୍ନ ଆଳ ଦେଖାଇ ଏହି ବଦଳିକୁ ଠିକ୍‌ ଭାବେ ଲାଗୁ କରାଗଲା ନାହିଁ। ୨୦୧୭ ମସିହାରେ ଗୃହ ବିଭାଗ ଦ୍ୱାରା ଏକ ସ୍ବତନ୍ତ୍ର ବଦଳି ନୀତି ପ୍ରଣୟନ କରାଯାଇଥିଲା। ସେହି ନିୟମ ଅନୁଯାୟୀ କୌଣସି କର୍ମଚାରୀ ଗୋଟିଏ ବିଭାଗରେ ୧୦ ବର୍ଷ ଏବଂ କୌଣସି ଶାଖାରେ ୬ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ। ହେଲେ ଏହି ନିୟମ ପାଳନ ହୋଇପାରୁ ନାହିଁ। ତେଣୁ ସରକାର ପଦୋନ୍ନତି ପରି ବଦଳି ନିୟମକୁ କାର୍ଯ୍ୟକାରୀ କରିବାରୁ କର୍ମଚାରୀ ମହଲରେ ଦାବି ଉଠିଛି।

Share