ବଦଳି ପରେ ତଦନ୍ତ ଚେପା

ଭୁବନେଶ୍ୱର,୧୦।୯: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସ୍‌ଆଇଙ୍କୁ ଦିଆଯାଉଥିବା ବେଳେ ବଳାତ୍କାର ଓ ଅନ୍ୟ ମାମଲାଗୁଡିକର ତଦନ୍ତ ଭାର ଏସ୍‌ଆଇ ନେଇଥାନ୍ତି। କିନ୍ତୁ ଅତି ସମ୍ବେଦନଶୀଳ ମାମଲା ଯଥା ହତ୍ୟା ଓ ବ୍ୟାଙ୍କ୍‌ ଡକାୟତି ଭଳି ବଡ଼ ବଡ଼ ମାମଲା ଆଇଆଇସି ନିଜେ ତଦନ୍ତ କରିଥାନ୍ତି। ଏପରିକି ଥାନାକୁ ଆସୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଅଭିଯୋଗର ତଦନ୍ତ ଭାର ଏସିପି ନେବାକୁ ବାଧ୍ୟ। ପୂର୍ବତନ ପୋଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ଏସ୍‌ପି ଓ ଡିସିପିଙ୍କୁ ଏକ ସର୍କ୍ୟୁଲାର ଜାରି କରିଥିଲେ, ଯେଉଁଥିରେ ଜଣେ ଆଇଆଇସି ମାସକୁ ୩ଟି ମାମଲା ନେବାକୁ ବାଧ୍ୟ। କିନ୍ତୁ ଏବେ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି ଯେ, ବହୁ ଜୋନ୍‌ ଏସିପି ଏବଂ ଆଇଆଇସିଙ୍କ ଦ୍ୱାରା ଏକାଧିକ ମାମଲା ପଡ଼ିରହିଛି। ଏପରି କି ସେମାନଙ୍କ ମଧ୍ୟରୁ କେତେଜଣ ରାଜଧାନୀରୁ ଅନ୍ୟତ୍ର ବଦଳି ହୋଇ ଚାଲିଗଲେଣି। ସେମାନଙ୍କ ମାମଲା ଏବେ ଆଇଆଇସି ଓ ଏସିପିଙ୍କ ନାମରେ ଗଡୁଛି, ଯେଉଁମାନେ କି ପ୍ରାୟତଃ ପୁରୁଣା ମାମଲାଗୁଡ଼ିକର ତଦନ୍ତ ପ୍ରତି ଆଗ୍ରହ ଦେଖାଉନାହାନ୍ତି।
ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି ଯେ, କେତେଦିନ ଭିତରେ ମାମଲା ତଦନ୍ତ କରି କୋର୍ଟକୁ ଚାର୍ଜଶିଟ୍‌ ଦେବେ ସେମାନଙ୍କ ପାଇଁ କିଛି ଗାଇଡଲାଇନ୍‌ ନାହିଁ, ଯଦ୍ଦ୍ବାରା ସେମାନେ ମାସ ମାସ ଧରି ମାମଲା ପକାଇ ରଖୁଛନ୍ତି। ଫଳରେ ସେମାନେ ବଦଳି ହେବାପରେ ମାମଲା ପଡ଼ିରହୁଛି। ଅଭିଯୋଗକାରୀ ନ୍ୟାୟ ପାଇପାରୁନାହାନ୍ତି।
ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି ଯେ,ଏସିପି ଏବଂ ଆଇଆଇସି ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ନେଉଛନ୍ତି। କିନ୍ତୁ ସେମାନେ ଅଭିଯୁକ୍ତ ଗିରଫ ନ କରି ଆଇନଶୃଙ୍ଖଳା ବ୍ୟସ୍ତତା ଦେଖାଇ ମାମଲାକୁ ଗଡ଼ାଇ ଚାଲୁଛନ୍ତି। ଅନେକ କ୍ଷେତ୍ରରେ ପୋଲିସ ଅଭିଯୁକ୍ତଙ୍କ ସହ ଭିତିରି ଡିଲ୍‌ କରି ମାମଲାକୁ ଚାପି ରଖୁଛି। ଫଳରେ ସେମାନଙ୍କର ଅନ୍ୟ ଜିଲାକୁ ବଦଳି ହେଲେ ମଧ୍ୟ ମାମଲା ଥାନା ଏସିପି ଓ ଆଇଆଇସି ନାମରେ ଗଡୁଛି।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏସିପି ଓ ଆଇଆଇସିଙ୍କ ଉପରେ ଚାପ ଦେବାଟା ଠିକ୍‌ ନୁହେଁ। ଗ୍ରାମାଞ୍ଚଳ ପୋଲିସକୁ ମାସକୁ ନିର୍ଦ୍ଦିଷ୍ଟ ମାମଲାର ଚାପ ଦେଲେ ଚଳିବ। କିନ୍ତୁ କଟକ ଓ ଭୁବନେଶ୍ୱରରେ ଏଭଳି କରିହେବ ନାହିଁ। କାରଣ ଏଠାରେ ଆଇନ ଶୃଙ୍ଖଳା ଦାୟିତ୍ୱ ରହୁଥିବାରୁ ମାମଲା ଫଇସଲା କରିବା ସମସ୍ୟା ହେଉଛି। ପଡ଼ି ରହିଥିବା ମାମଲାର ସମାଧାନ କରିବାକୁ ଅଧିକାରୀମାନଙ୍କୁ କୁହାଯିବ।

ତ୍ରିନାଥ ମହାନ୍ତି