Categories: ଭଦ୍ରକ

ବଦଳୁନି ଭିତ୍ତିଭୂମି: ଗୋଟିଏ ଗୃହରେ ୫ଶ୍ରେଣୀ

ପଦ୍ମପୁର, ୩।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କୋଠରିରେ ୫ ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଯାଉଛି। ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଭିତ୍ତିଭୂମିର ବିକାଶ ହେଉ ନାହିଁ। ଆବଶ୍ୟକ ଗୃହ ନ ଥିବାରୁ ଉକ୍ତ ଶ୍ରେଣୀଗୃହରେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ସହ ପିଲାଙ୍କର ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ରଖାଯାଉଛି। ଏଥିଲାଗି ଶିକ୍ଷାଦାନରେ ବିଭିନ୍ନ ସମସ୍ୟା ଉପୁଜିଛି।
ଏହି ବିଦ୍ୟାଳୟରେ ମୋଟ ୩୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଭତ୍ତିଭୂମି ସୁବିଧା ନ ଥିବାରୁ ଅଭିଭାବକମାନେ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଦ୍ୟାଳୟର ରୋଷେଇ ଘର ନ ଥିବାରୁ ଏକ ଭଙ୍ଗାଗୃହରେ ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ପୂର୍ବରୁ ଥିବା ପୁରୁଣା ଶ୍ରେଣୀଗୃହ ଜରାଜୀର୍ଣ୍ଣ ହୋଇପଡିବାରୁ ଏହାକୁ ପରିତ୍ୟକ୍ତ ଘୋଷଣା କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବାସନ୍ତୀଲତା ନାୟକ ଶ୍ରେଣୀଗୃହ ଅଭାବ ସମସ୍ୟା ନେଇ ବ୍ଲକ ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ଏ ବାବଦରେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଣୟ କୁମାର ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ବିଦ୍ୟାଳୟ ଗୃହ ନିର୍ମାଣ ଦାୟିତ୍ୱ ଏବେ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯାଇଛି। କଲ୍ୟାଣପୁର ଶିକ୍ଷାନୁଷ୍ଠାନ ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗ ଅବଗତ ରହିଛି ଏବଂ ଶୀଘ୍ର ଏହାର ପ୍ରତିକାର କରାଯିବ ବୋଲି ସେ କହିଛନ୍ତି।