Categories: ଫୁରସତ

ବଧିରଙ୍କୁ କର୍ମନିଯୁକ୍ତି ଦେବା ଲାଗି ରେଷ୍ଟୁରାଣ୍ଟ ମାଲିକଙ୍କ ଅଭିନବ ପ୍ରୟାସ: କଥା କହି ନୁହେଁ ଗ୍ରାହକ ଦିଅନ୍ତି ଠାରରେ ଅର୍ଡର

ବିଶ୍ୱରେ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହୋଟେଲମାଲିକମାନେ ବିଶେଷକରି ଏହାର ନିର୍ମାଣଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି। କିଛି ରେଷ୍ଟୁରାଣ୍ଟ ଜେଲ ପରି ତିଆରି ହୋଇଥାଏ ତ କେଉଁଠି ଗଛ ଉପରେ ନିର୍ମିତ ହୋଇଥାଏ। ପାଣିରେ ମଧ୍ୟ ରେଷ୍ଟୁରାଣ୍ଟ ଖୋଲାଯିବାର ମଧ୍ୟ ନଜିର ରହିିଛି। ଏପରି ଏକ ରେଷ୍ଟୁରାଣ୍ଟ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ କଥା କହି ନୁହେଁ ବରଂ ଠାରରେ ଖାଦ୍ୟ ଅର୍ଡର ଦିଆଯାଇଥାଏ। ହୁଏତ ନା। ତେବେ ଜାଣନ୍ତୁ ସେ ବିଷୟରେ।
ଚାଇନାର ଗୁଆଙ୍ଗଝୋଉଠାରେ ଏହି ଅଜବ ରେଷ୍ଟୁରାଣ୍ଟ ରହିଛି। ସ୍ବତନ୍ତ୍ରତାକୁ ନେଇ ଦେଶର ପ୍ରଥମ ରେଷ୍ଟୁରାଣ୍ଟ ଭାବେ ଏହା ସାଇଲେଣ୍ଟ କ୍ୟାଫେ ନାମରେ ପରିଚିତ। ଏଠାକୁ ଆସୁଥିବା ଗ୍ରାହକ କଥା ନ କହି ଠାରରେ ଖାଦ୍ୟ ଅର୍ଡର ଦେଇଥାନ୍ତି। ଗ୍ରାହାକ ନିଜ ହାତରେ ଠାରି ନମ୍ବର କରିଥାନ୍ତି। ଏପରି କରିବା ମାତ୍ରେ ଖାଦ୍ୟ ପାଖରେ ପହଞ୍ଚିଥାଏ। ଯଦି ଅର୍ଡର କରିବା ସମୟରେ ଗ୍ରାହକଙ୍କ ଠାର ରେଷ୍ଟୁରାଣ୍ଟର କର୍ମଚାରୀ ବୁଝି ନ ପାରନ୍ତି ତ ସେମାନଙ୍କୁ ଅନ୍ୟ ଏକ ସୁବିଧା ଯୋଗାଇ ଦିଆଯାଏ। ଗ୍ରାହକଙ୍କୁ ଏକ ନୋଟ୍‌ ପ୍ୟାଡ୍‌ ଦିଆଯାଏ। ଗ୍ରାହକ ନୋଟ୍‌ ପ୍ୟାଡ୍‌ରେ ସେମାନଙ୍କ ଖାଦ୍ୟ ତାଲିକା ବିଷୟରେ ଲେଖିଥାନ୍ତି। ନଚେତ୍‌ ଡିଜିଟାଲ ସଂଯୋଗର ମଧ୍ୟ ବ୍ୟବସ୍ଥା ହୋଇଛି। ଏହାକୁ କାନ୍ଥରେ ସାଙ୍କେତିକ ଭାଷାରେ ଠାର କରାଯାଇଥାଏ, ଯାହା ଫଳରେ ଗ୍ରାହକଙ୍କ ଠାର କର୍ମଚାରୀ ଜାଣିପାରିବେ ।
ତେବେ ହୋଟେଲର ନିର୍ମାତା ବଧିର ଲୋକଙ୍କ ପାଇଁ କର୍ମ ପନ୍ଥା ଯୋଗାଇଦେବା ଲକ୍ଷ୍ୟ ରଖିଥିଲେ। ଏଥିରେ ୩୦ କର୍ମଚାରୀ କାମ କରୁଥିବାବେଳେ ୧୪ ଶୁଣିପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି। ମାଲେସିଆ ଓ ଆମେରିକାରେ ମଧ୍ୟ ଏଭଳି ହୋଟେଲ ଖୋଲାଯାଇଥିବା ଜଣାଯାଏ।

Share