ବଧୂ ବେଶରେ ବସିଥିଲେ ଝିଅ, ଆସିଲେନି ବର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବିବାହ ପାଇଁ ମଣ୍ଡପରେ ରବିବାର ଚାଲିଥିଲା ଜୋରଦାର ପ୍ରସ୍ତୁତି। ବନ୍ଧୁବାନ୍ଧବ ଆସି ଭୋଜି ଖାଇବା ସହ ବଧୂବେଶରେ ଥିବା ଝିଅକୁ ଆଶୀର୍ବାଦ ଦେଇଥିଲେ। ପୁରୋହିତ ବିବାହ ପାଇଁ ସବୁ ଆୟୋଜନ ଶେଷ କରିଦେଇଥିଲେ। କିନ୍ତୁ ବିବାହ ସମୟ ଗଡ଼ିଯାଇଥିଲେ ମଧ୍ୟ ଆସିଲେନି ବର। ଏପରିକି ବରଙ୍କ ମୋବାଇଲ ଫୋନ୍‌ ମଧ୍ୟ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ଶେଷରେ ଅଡୁଆରେ ପଡିଥିଲେ ଝିଅ ଘର ଲୋକେ। ଏଭଳି କଥା ପହଞ୍ଚିଲା ଓଡ଼ିଶା ନାରୀ ସଚେତନ ମଞ୍ଚ ନିକଟରେ। ମଞ୍ଚ ପକ୍ଷରୁ ପୋଲିସ ସହାୟତାରେ ବରଙ୍କୁ ଖୋଜିଯାଇଥିଲା। ବହୁ ଉଦ୍ୟମ ପରେ ବରଙ୍କୁ ଯାଜପୁରରୁ ଖୋଜି ଅଣାଯାଇଥିଲା ଏବଂ ସୋମବାର ଭୋର ୪ଟାରେ ବିବାହ ସମ୍ପନ୍ନ ହୋଇଥିଲା। ଏଭଳି ରୋଚକ ଘଟଣା ଘଟିଛି ବଡଗଡ଼ ଥାନା ଜଗନ୍ନାଥ ମନ୍ଦିର ମଣ୍ଡପରେ।
ମିଳିଥିବା ସୂଚନା ଅନୁଯାୟୀ, ପୋଖରୀପୁଟରେ ରହୁଥିବା ଜଣେ ଯୁବକ ୪ ବର୍ଷ ହେଲା ଝାରପଡ଼ାର ଜଣେ ଯୁବତୀଙ୍କୁ ଭଲ ପାଇଥିଲେ। ଯୁବକ ଜଣକ ଯାଜପୁରର ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ଉଭୟ ପରସ୍ପର ଭଲପାଇବା ପରେ ଗତ ଜାନୁୟାରୀ ୧୪ରେ କୋର୍ଟ ବିବାହ କରିଥିଲେ। ଏହାପରେ ବୈଦିକ ରୀତିରେ ବିବାହ କରିବା ପାଇଁ ଉଭୟଙ୍କ ପରିବାର ରାଜି ହୋଇଥିଲେ। ଏଥିପାଇଁ ସ୍ଥାନ ଓ ତାରିଖ ସ୍ଥିର ହୋଇଥିଲା। ତଦନୁଯାୟୀ ଝିଅ ଘର ପକ୍ଷରୁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା। କିନ୍ତୁ ଝିଅ ନିଜ ଜାତିର ହୋଇ ନ ଥିବାରୁ ଶେଷ ମୁହୂର୍ତ୍ତରେ ପୁଅର ପରିବାର ଲୋକେ ବିବାହ ପାଇଁ ମନା କରିଥିଲେ। ଫଳରେ ଯୁବକ ଜଣକ ନିଜ ମୋବାଇଲ୍‌ ଫୋନ ବନ୍ଦ କରି ଯାଜପୁରରେ ଯାଇ ଲୁଚିଥିଲେ। ଝିଅ ଘର ଲୋକେ ନିରାଶ ହୋଇ ଓଡ଼ିଶା ନାରୀ ସଚେତନ ମଞ୍ଚର ସଭାପତି ଡଲି ରଥଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରଯାଇଥିଲା। ଥାନା ଅଧିକାରୀ ଯୁବକଙ୍କ ଫୋନ୍‌ ଲୋକେସନ୍‌ ଟ୍ରେସ୍‌ କରିବା ପରେ ମହିଳା ନେତ୍ରୀ ରଥ ଓ ମଞ୍ଚର ଅନ୍ୟ ସଦସ୍ୟାମାନେ ରାତିରେ ଯାଜପୁର ଯାଇ ଯୁବକଙ୍କୁ ଧରି ଭୁବନେଶ୍ୱର ଫେରିଥିଲେ। ଭୋର ୪ଟାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଲୋକଲଜ୍ଜାରୁ ବଞ୍ଚିଯାଇଥିବାରୁ ଝିଅ ଘର ଲୋକେ ଓଡ଼ିଶା ନାରୀ ସଚେତନ ମଞ୍ଚକୁ ଧନ୍ୟବାଦ ଦେଇଛନ୍ତି।

Share