ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ

ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତିନିକୋଶିଆ ଏବଂ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ହାତୀ ଭୟରେ ରାତ୍ରି ଅନିଦ୍ରା ରହି ଗାଁମୁଣ୍ଡରେ ନିଆଁ ଜଳାଇ ବସି ରହିଥିଲେ। ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତକାଟ୍‌ ହେଉଥିବାରୁ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଗୁରୁବାର ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଅପରାହ୍ନ ୪ଟାରେ ଅପରେଶନ ଗଜେନ୍ଦ୍ର ଆରମ୍ଭ କରାଯାଇଥିଲା। ବନବିଭାଗ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ ଏବଂ କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ବାଣ, ରୋଶଣି ମାଧ୍ୟମରେ ହାତୀମାନଙ୍କୁ ଘଉଡାଇବାର ପ୍ରୟାସ ଆରମ୍ଭ କରାଯାଇଥିଲା। ନୀଳଗିରି ଆଇଆଇସି ମୀନତି ବିଶ୍ୱାଳଙ୍କ ନେତୃତ୍ୱରେ ୧ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲା। ଗ୍ରାମବାସୀ ମଧ୍ୟ ଏଥିରେ ସହଯୋଗ କରିଥିଲେ। ସନ୍ଧ୍ୟା ୬ଟାରେ ଗୋପାଳପୁର ଜଙ୍ଗଲରୁ ହାତୀପଲ ଚିରାଚରିତ ଗୋପାଳପୁର ରାସ୍ତା ପାର ହୋଇ ମୟୂରଭଞ୍ଜ ଅଭିମୁଖେ ଯାଉଥିବା ସୂଚନା ମିଳିଛି। । ହାତୀପଲ କୌଣସି ଘରଦ୍ୱାରା ଭାଙ୍ଗି ନ ଥିବା ଜଣାପଡିଛି।