ବନବିଭାଗର ଅବହେଳା: ଅସୁସ୍ଥ ମାଈ ହାତୀର ଜୀବନ ଗଲା

ଦେବଗଡ଼,୨୬ା୫(ସ୍ବ.ପ୍ର.): ଦେବଗଡ଼ ରେଞ୍ଜ ତଥା କଂସର ଫରେଷ୍ଟ ସେକ୍ସନ ଅଧୀନ ହିରନ୍‌ ଗ୍ରାମରେ ଗତ ଏପ୍ରିଲ ୬ ତାରିଖରୁ ଆଶ୍ରୟ ନେଇଥିବା ଅସୁସ୍ଥ ହାତୀର ସ୍ବାସ୍ଥ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଥିବା ବେଳେ ଶନିବାର ରାତିରେ ନାଳହିଡରୁ ଖସିପଡ଼ି ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲା। ତେବେ ରବିବାର ମାଈ ହାତୀଟିର ମୃତ୍ୟୁ ଘଟିଛି। ସୂଚନା ଥାଉ କି, ଚଳିତ ମାସ ୨ ତାରିଖରେ ସମ୍ପୃକ୍ତ ପାହାଡ଼ି ନାଳ ପାଣିରେ ହାତୀଟି ଖସି ପଡ଼ିଥିବାବେଳେ ବନ କର୍ମଚାରୀ ଗ୍ରାମବାସୀଙ୍କ ସହ ପାଣିରୁ ଉଠାଇଥିଲେ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରୁ ଆସି ଚିକିସତ୍ା କରିଥିବା ୱାଇଲ୍ଡ ଲାଇଫ୍‌ ଏକ୍ସପର୍ଟ ଡା. ଖନିମ୍‌ ଚାଙ୍ଗମୀଙ୍କ ପରାମର୍ଶକ୍ରମେ ଉନ୍ନତମାନର ଓଷଧ ଓ ଉପଯୁକ୍ତ ଖାଦ୍ୟ ଖାଇବା ପରେ ହାତୀଟି ସୁସ୍ଥ ହୋଇଥିଲା। ତେବେ ମାଆ ହାତୀଟି ପୁଣି ତଳେ ପଡ଼ି ରହିଥିବାବେଳେ ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ନୋଡାଲ ଅଫିସର ଡା.ଶୁଭେନ୍ଦୁ ଘୋଷଙ୍କ ନେତୃତ୍ୱରେ ଏଡିଭିଓ ଡା.ସମୀର ସାହୁ ଓ ତିଳେଇବଣି ଭିଏଏସ୍‌ ଡା.ସତ୍ୟବ୍ରତ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଚିକିସତ୍ା କରିଥିଲେ ମଧ୍ୟ ରବିବାର ହାତୀଟିର ମୃତ୍ୟୁ ଘଟିଛି। ଚିକିତ୍ସାରେ ବିଳମ୍ବ ଓ ବନ ବିଭାଗର ଚରମ ଅବହେଳା ଯୋଗୁ ଏପରି ହୋଇଥିବା ଗ୍ରାମବାସୀ ବନ ବିଭାଗକୁ ଦାୟୀ କରିଛନ୍ତିି।