ବନବିଭାଗର ମିଳିତ ଚଢ଼ାଉ: ୪୦ ହଜାର ଟଙ୍କାର ଶାଳ କାଠ ଜବତ, ୨ ଗିରଫ

କେନ୍ଦୁଝର, ୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟ ପ୍ରାଣୀ ବନଖଣ୍ଡ ଅଧୀନ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ସେକ୍ସନ ହାତୀକୁଚା ଗ୍ରାମରେ ବନବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ୨ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୪୦ ହଜାର ଟଙ୍କାର ଶାଳ କାଠ ଜବତ ହୋଇଛି। ଅଭିଯୁକ୍ତ ଦ୍ୱୟହେଲେ ରାଜେନ୍ଦ୍ର ମହାକୁଡ(୪୦) ଓ କଲାଇ ମୁଣ୍ଡା(୪୧)।
ପ୍ରକାଶ ଯେ, ୬ ଜଣ କାଠ ମାଫିଆ ଶାଳଗଛ କାଟି ଚୋରାଚାଲାଣ କରିବାକୁ ଉଦ୍ୟମ କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ଶୁକ୍ରବାର ଚଢ଼ାଉ କରିଥିଲେ। ହରିଚନ୍ଦନପୁର, ଭଗାମୁଣ୍ଡା ଓ ଦେଓଗାଁ ବନବିଭାଗ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଘଟଣାସ୍ଥଳରୁ ୪ କାଠ ମାଫିଆ ଦୌଡି ପଳାଇଥିବା ବେଳେ ୨ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ନାମରେ ମାମଲା ରୁଜୁ କରିଯିବା ସହ ସେମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଜବତ କାଠକୁ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।