ବନାରସରେ ଅଛନ୍ତି ଓଡ଼ିଆ ଫ୍ୟାନ୍‌

ଡିଆଇଡି ଲିଟିଲ ମାଷ୍ଟର ରିଅଲିଟି ଶୋ’ରେ ଚମତ୍କାର ଡ୍ୟାନ୍ସ କରି ନିଜ ପ୍ରତିଭା ଦେଖାଇଥିଲେ କଟକର ଶୈଳେନ୍ଦ୍ର ସାମନ୍ତରାୟ। ସଞ୍ଜୟ ଓ ମନୋରମା ସାମନ୍ତରାୟଙ୍କ ସାନପୁଅ ତଥା କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ଆଇନ ଛାତ୍ର ଶୈଳେନ୍ଦ୍ର ଓଡ଼ିଆ ମ୍ୟୁଜିକ୍‌ ଭିଡ଼ିଓ ଜଗତରେ ଏବେ ଜଣେ ଟ୍ରେଣ୍ଡିଂ ଷ୍ଟାର୍‌। ମୋ ଘର ବାଟ ଦେଇ, ପୁଚୁକି ଗାଲି, ରାଜି ଥରେ ହେଇଯା, ୱାକାଉନ୍‌ ପରେ ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଓ ରଙ୍ଗବତୀ’ ଗୀତ ତାଙ୍କର ସୁପରହିଟ୍‌ ହୋଇଛି। ଏହି ଗୀତ ବନାରସରେ ଶୁଟିଂ ହୋଇଥିବା ବେଳେ ଏହାକୁ ନେଇ ଶୈଳେନ୍ଦ୍ରଙ୍କ ଅନୁଭୂତି…

ଟ୍ରେନ୍‌ ଭିତରଠାରୁ ଆରମ୍ଭ କରି ବନାରସର ବିଭିନ୍ନ ଗଳି ଓ ଗଙ୍ଗାନଦୀର କୂଳରେ ଗୀତର ଅଧିକାଂଶ ସିନ୍‌ ଶୁୁଟିଂ ହୋଇଥିଲା। ଶୁୁଟିଂ ସ୍ଥାନଗୁଡ଼ିକ ବୁଲି ଦେଖିବା ଦାୟିତ୍ୱ ଡିରେକ୍ଟର ରାଜା ଡି ଓ କ୍ୟାମେରାମ୍ୟାନ ଅକ୍ଷୟ କୁମାର ନାୟକଙ୍କ ହାତରେ ଥାଏ। ଏଣୁ ମୋତେ ଅଧିକ ଫାଙ୍କା ସମୟ ମିଳୁଥିଲା। ବନାରସରେ ଓଡ଼ିଆ ଡ୍ୟାନ୍ସ ଗୀତ ଶୁୁଟିଂ ହେବା ବି କ୍ୱଚିତ୍‌। ହେଲେ ଗଙ୍ଗାନଦୀ କୂଳରେ ଶୁଟିଂ ହେବା ସମୟର ଏକ ଅଭୁଲା ଅନୁଭୂତି ରହିଛି। ରଙ୍ଗବତୀ ଗୀତ ବଜାଇ ପାହାଚରେ ଶୁଟିଂ ଚାଲିଥାଏ। ଧୀରେଧୀରେ ସେଠାରେ ଭିଡ଼ ବଢ଼ିବାକୁ ଲାଗିଲା। କିଛି ସମୟ ପାଇଁ ଆମେ ସମସ୍ତେ ଡରି ଯାଇଥିଲୁ। ଯେହେତୁ ଓଡ଼ିଶା ନୁହେଁ, ବାହାର ଲୋକଙ୍କୁ ସାମ୍ନା କରିବା ଆମ ପାଇଁ କଷ୍ଟକର ହେବ ବୋଲି ସମସ୍ତେ ଭାବି ସାରିଥାଉ। ହେଲେ ସେମାନେ ଶୁୁଟିଂ ଦେଖିବାକୁ ଭିଡ଼ ଲଗାଇଥିଲେ। ସେମାନଙ୍କ ଭିତରୁ କେତେଜଣ ଆମ ସହ ସେଲ୍‌ଫି ନେଇଥିଲେ ଆଉ କିଛି ଓଡ଼ିଆ ଗୀତ ଶୁଣିଛନ୍ତି ଓ ଏବେ ସବୁ ନୂଆ ଭିଡ଼ିଓ ଦେଖିଛନ୍ତି ବୋଲି କହିଥିଲେ। ବନାରସ ଲୋକ ଓଡ଼ିଆ କଳାର ଫ୍ୟାନ ବୋଲି ଶୁଣି ବହୁତ ଖୁସି ଲାଗିଥିଲା। ସେମାନେ ଆମକୁ ଅନେକ ସାହାଯ୍ୟ ମଧ୍ୟ କରିଛନ୍ତି।

Share