Categories: ମେଟ୍ରୋ

ବନୀକରଣ ପାଇଁ ଅଣ୍ଟା ଭିଡ଼ିଲେ କୁନି ଚିତ୍ରଶିଳ୍ପୀ:  ବିହନ ପିଣ୍ଡୁଳା ଜରିଆରେ ଚନ୍ଦକା ଜଙ୍ଗଲ ହେବ ସବୁଜିମା

ପୁରୁଣା ଭୁବନେଶ୍ୱର, ୨୪। ୭ (ଡି.ଏନ.ଏ.): ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ ଠାରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ର କୁନି ଶିଳ୍ପୀମାନେ ବନୀକରଣ ପାଇଁ ଏକ ନିଆରା ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି। ଦିନକୁଦିନ ମାନବୀୟ ହସ୍ତକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସବୁଜିମା ଉଜୁଡି ଯାଉଛି। ଏହାକୁ ବଜାୟ ରଖିବାକୁ ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ମାର୍ଗଦର୍ଶନରେ ବିଦ୍ୟାର୍ଥୀମାନେ ନିଆରା ବିହନ ପିଣ୍ଡୁଳା ବା ସିଡ୍‌ସ ବଲ୍‌ ତିଆରି କରୁଛନ୍ତି। ଏହି ସିଡ୍‌ସ ବଲ୍‌କୁ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟର ଟାଙ୍ଗରା ଭୂଇଁରେ ନିକ୍ଷେପ କରାଯିବ। ଏଥିରୁ ଗଜା ବାହାରି ଜଙ୍ଗଲ ସୃଷ୍ଟି ହେବ। ଏହି ପ୍ରକ୍ରିୟାରେ ୫୦ ପ୍ରତିଶତ ଗଛ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି।
କୁନି ଚିତ୍ରଶିଳ୍ପୀମାନେ ମାଟି, ଗୋବର ଖତ ସହିତ ପଣସ, ତେନ୍ତୁଳି, ଆତ ଆଦି ମଞ୍ଜିକୁ ଗୋଳାଇ ବିହନ ପିଣ୍ଡୁଳା ବା ସିଡ୍‌ସ ବଲ ମାନ ତିଆରି କରୁଛନ୍ତି। ଚିତ୍ରଶାଳା ପକ୍ଷରୁ ବଲ ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ଓ ପ୍ରଶିକ୍ଷଣ ଦିଆଯାଇଛି। ଏହି ବଲଗୁଡ଼ିକୁ ଜଙ୍ଗଲର ଖାଲି ଜାଗାଗୁଡ଼ିକରେ ନିକ୍ଷେପ କରାଯିବ। ଏଥିରେ ଜୈବିକ ସାର ମିଶିଥିବାରୁ କୀଟପତଙ୍ଗ, ମୂଷା, ଗୁଣ୍ଡୁଚିମୂଷା ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଏହାକୁ ନଷ୍ଟ କରିପାରିବେ ନାହିଁ। ବର୍ଷାଋତୁରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କମ୍‌ ଖର୍ଚ୍ଚରେ ପ୍ରଭାବୀ ବନୀକରଣ ହୋଇପାରିଥାଏ ବୋଲି ଜଣାଯାଇଛି। ଚାରା ରୋପଣରେ ୧୦ ପ୍ରତିଶତ ଚାରା ବଞ୍ଚୁଥିବା ବେଳେ ଏହି ପ୍ରକ୍ରିୟାରେ ୫୦ ପ୍ରତିଶତ ତିଷ୍ଠିଥାଏ। ପୁଣି ରୋପିତ ଚାରାଗୁଡ଼ିକର ୩ ବର୍ଷ ପାଇଁ ଯନତ୍ ନେବା ବାବଦକୁ ୨ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିକ୍ଷେପିତ ସିଡ୍‌ସ ବଲ୍‌ରୁ ଅଙ୍କୁରିତ ଚାରା ଆପେ ଆପେ ହୋଇଥାଏ।

Share