ବନ୍ତ ତହସିଲଦାରଙ୍କ ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ/ ବନ୍ତ (ସ୍ବ.ପ୍ର), ୨୬।୫: କର୍ଫ୍ୟୁ କଟକଣା ସମୟରେ ବନ୍ତ ତହସିଲଦାର ଲୁଗା ଦୋକାନୀଙ୍କୁ ଦୋକାନ ଖୋଲାଇ ଶାଢ଼ୀ କିଣୁଥିବା ଘଟଣାରେ ମଙ୍ଗଳବାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ଘଟଣାର ତଦନ୍ତ ପାଇଁ ଉପଜିଲାପାଳ ପିତାମ୍ବର ସାମଲଙ୍କୁ ଦାୟିତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସନ୍ଧ୍ୟା ୭ଟା ପରେ ତହସିଲଦାର ଆଗରପଡା ବଜାରରେ ଏକ ଲୁଗା ଦୋକାନକୁ ଖୋଲି ଲୁଗା ବାଛୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ସ୍ଥାନୀୟ ଲୋକେ ଉକ୍ତ ଦୋକାନର ସଟର ପକାଇ ଦେଇଥିଲେ। ଏହାପରେ ମହିଳା ତହସିଲଦାରଙ୍କୁ ନାନା ପ୍ରଶ୍ନ ପଚାରି ମୋବାଇଲରେ ରେକଡିଂ କରିଥିଲେ। ସୋମବାର ରାତିରୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଭାଇରଲ ହେବା ପରେ ଘଟଣାର ତଦନ୍ତ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଧରିତ୍ରୀକୁ ସେ ସୂଚନା ଦେଇଛନ୍ତି। ଅପରପକ୍ଷେ ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ୫ଟି ସଚିବ, ଜିଲାପାଳ ଓ ଏସ୍‌ପିଙ୍କୁ ଟୁଇଟ କରି ଅଭିଯୋଗ କରିଥିବା ସୂଚନା ମିଳିଛି।

Share