ବନ୍ଦହେଲା ସାପ୍ତାହିକ ହାଟ

ଶଙ୍କରାଖୋଲ,୨୧ା୩(ଡି.ଏନ୍‌.ଏ.)

କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ୧୪୪ଧାରା ଜାରି କରିଥିବାବେଳେ ଚକାପାଦ ଓ ଟିକାବାଲି ବ୍ଲକର ବିଭିନ୍ନ ସ୍ଥାନରେ ସାପ୍ତାହିକ ହାଟ ବ୍ଲକ ପ୍ରଶାସନ ଟିକାବାଲି, ଚକାପାଦ ଥାନା ପକ୍ଷରୁ ବନ୍ଦ କରିଦିଆଯାଇଛି। ଚକାପାଦ, ଶଙ୍କରାଖୋଲ, ଲାଇନପଡା, ପାବୁରିଆ, ଟିକାବାଲିରେ ସାପ୍ତାହିକ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ କିଛି ତେଜରାତି ଦୋକାନ, ଚା’ ଦୋକାନ, ହୋଟେଲ ଖୋଲା ରହିଛି। ବଜାର ଶୂନ୍‌ଶାନ ରହୁଥିବା ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଉଛି। ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ରାଜ୍ୟ ବାହାରେ କାମ କରୁଥିବା ଲୋକ ଘରକୁ ଫେରୁଥିବାବେଳେ ସେମାନଙ୍କ ଉପରେ ନଜର ରଖି ପଞ୍ଜୀକରଣ କରାଇବାକୁ ଡାକ୍ତରଖାନା ପଠାଯାଉଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ କରୋନା ନେଇ ଗ୍ରାମାଞ୍ଚଳରେ ଯେତିକି ସଚେତନତା କରାଇବା କଥା ତାହା କରିପାରୁନାହିଁ। ଏପଟେ ସାପ୍ତାହିକ ହାଟ ଓ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗ୍ରାମାଞ୍ଚଳର ଜନସାଧାରଣ କିଣିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି।