‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି

ଭୁବନେଶ୍ୱର, ୨୨ା୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବା ପରେ ସରକାରୀ କାର୍ଯ୍ୟ କ୍ଷିପ୍ର ଗତିରେ ଚାଲିବ ବୋଲି ନୂତନ ସଚିବ ଅସିତ ତ୍ରିପାଠୀ କହିଥିବାରୁ ଏହାକୁ ଉତ୍କଳ ସମ୍ମିଳନୀ ପ୍ରସଂଶା କରିଛି। ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ ପାଇଁ ୨୦୧୩ରୁ ଗୃହ ବିଭାଗରେ ପଡିଥିବା ଫାଇଲ୍‌କୁ ନୂତନ ସଚିବ କ୍ଷିପ୍ର ଗତିରେ ଆଗକୁ ନେବେ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲୀପ ଦାଶଶର୍ମା ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ ପାଇଁ ୧୯୯୪ରୁ ଦାବି ହୋଇ ଆସୁଥିବାବେଳେ ୨୦୦୨, ୨୦୦୩, ୨୦୦୬ ଓ ୨୦୧୨ରେ ଆଲୋଚନା ହୋଇ ୨୦୧୩ ଜାନୁୟାରୀ ୨୨ରେ ପତ୍ର ସଂଖ୍ୟା ନଂ.୧୨୫ ମାଧ୍ୟମରେ ସଂସ୍କୃତି ବିଭାଗ ଗୃହ ବିଭାଗକୁ ପଠାଇ ସାରିଛନ୍ତି। ସମସ୍ତ ସରକାରୀ କାର୍ଯ୍ୟ କ୍ଷିପ୍ର ଗତିରେ ଚାଲିଲେ ଏହା ଅତିଶୀଘ୍ର ମାନ୍ୟତା ପାଇବ ବୋଲି ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦାଶଶର୍ମା ଆଶା କରିଛନ୍ତି।