‘ବନ୍ଦେ ମାତରମ୍‌’ର ସର୍ଜନଭୂମି

ଡ. ଭାଗ୍ୟଲିପି ମଲ୍ଲ
ଆମ ପୂର୍ବ ଓ ଆମବେଳର କଥା ମଧ୍ୟ। ସେତେବେଳେ ଟେଲିଭିଜନର ପ୍ରାଦୁର୍ଭାବ ନ ଥିଲା। ସକାଳ ହେଲେ ରେଡିଓ ଖୋଲିବା ଏକ ରୀତିମତ ଅଭ୍ୟାସ ଥିଲା। ସକାଳର ରେଡିଓରୁ ‘ବନ୍ଦେ ମାତରମ୍‌’ର ପ୍ରାଣଛୁଅଁା ସଙ୍ଗୀତ ସମଗ୍ର ଦିନକୁ ଯେମିତି ଶାନ୍ତ ଅଥଚ ଗତିଶୀଳ କରିଦେଉଥିଲା। ଏବେ ସେଇ ସୁମଧୁର ସଙ୍ଗୀତ କେବଳ ସ୍ବାଧୀନତା ଦିବସ ଅଥବା ସାଧାରଣତନ୍ତ୍ର ଦିବସରେ କାନରେ ପଡ଼ୁଛି।
‘ସୁଜଳାଂ ସୁଫଳାଂ ମଳୟଜ ଶୀତଳାମ୍‌ ଶସ୍ୟଶ୍ୟାମଳାମ୍‌ ମାତରମ୍‌…’ ମାତୃଭୂମି ପ୍ରତି ମମତ୍ୱବୋଧର ଏକ ସାର୍ବକାଳିକ ଉଦାହରଣ। ବେଳେବେଳେ ମନରେ ପ୍ରଶ୍ନ ଆସେ, ଯେଉଁ ସଙ୍ଗୀତର ପ୍ରତିବେଦନ ମନ ଓ ପ୍ରାଣକୁ ଏତେ ସ୍ବନ୍ଦିତ କରେ, ଯେଉଁ ଗୀତର ସୁର କାନରେ ବାଜିବା ମାତ୍ରେ ଦେହରେ ଶିହରଣ ଖେଳିଯାଏ, ଶହୀଦମାନଙ୍କ ଆମତ୍ବଳି କଥା ମନେ ପଡ଼ିଯାଏ, ଭାରତମାତାର ପାଦତଳେ ମଥା ଆପେ ଆପେ ନଇଁଯାଏ, ସେ ଗୀତର ପଲ୍ଲବନ କେଉଁଠୁ ହୋଇଥିବ? କେଉଁ ଭୂମିର ପାଣି, ପବନ, ଗଛ, ଲତା, ଫୁଲ, ମହକ ସ୍ରଷ୍ଟାର ପ୍ରାଣକୁ ଉଚ୍ଚାଟିତ କରିଥିବ?
ତାହା ଆମ ଭୂମି ଓଡ଼ିଶା। ଓଡ଼ିଶାର ଯାଜପୁର। ଜନ୍ମ ୧୮୮୨ ମସିହା, ସ୍ରଷ୍ଟା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ। ତତ୍କାଳୀନ ଯାଜପୁର ସବ୍‌ଡିଭିଜନର ଡେପୁଟି ମାଜିଷ୍ଟ୍ରେଟ୍‌। କାଳଖଣ୍ଡ ୧୮୮୨ରୁ ୧୮୮୪। ଏହି ସମୟ ମଧ୍ୟରେ ବଙ୍କିମଚନ୍ଦ୍ର ଯାଜପୁରର ମାଟି, ପାଣି, ପବନ ସହ ଗୀତ ଗାଇଛନ୍ତି, ମିତ ବସିଛନ୍ତି। ସାଉଁଟି ନେଇଛନ୍ତି ଓଡ଼ିଶା ଭୂମିରୁ ମାତୃବନ୍ଦନାର ଆଦ୍ୟ ଓଁକାରକୁ। ଓଡ଼ିଶା ପାଲଟିଛି ବଙ୍କିମଙ୍କ ସର୍ଜନର ଭବ୍ୟଭୂମି।
ବଙ୍କିମଚନ୍ଦ୍ର ଯାଜପୁରରେ ଥିବାବେଳେ ୧୮୮୨ରେ ଲେଖିଛନ୍ତି ବିଖ୍ୟାତ ଉପନ୍ୟାସ ‘ଆନନ୍ଦମଠ’। ଏହି ଉପନ୍ୟାସରେ ଜାତୀୟତା ମନ୍ତ୍ରରେ ଉଦ୍‌ବୁଦ୍ଧ ଏହି କାଳଜୟୀ ସଙ୍ଗୀତ ‘ବନ୍ଦେ ମାତରମ୍‌’ ସ୍ଥାନିତ। ୧୮୯୮ରେ ଭାରତୀୟ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ରବୀନ୍ଦ୍ରନାଥ ଠାକୁରଙ୍କ କଣ୍ଠରେ ପ୍ରଥମେ ଯେତେବେଳେ ଏ ଗୀତ ପ୍ରତିଧ୍ୱନିତ ହୋଇଉଠିଛି, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ତତ୍କାଳୀନ ସମୟରେ ଏ ସଙ୍ଗୀତର ଚେତନା, ମାତୃଗୀତିକାର ଏ ଅଭିନବ ସ୍ବର ସଞ୍ଚରି ଯାଇଛି ପ୍ରତି ଭାରତୀୟ ପ୍ରାଣରେ। ରବୀନ୍ଦ୍ରନାଥଙ୍କ ପରେ ୧୯୦୧ ମସିହାରେ କଲିକତାର ଅନ୍ୟ ଏକ ଅଧିବେଶନରେ ଦକ୍ଷିଣ ଚରଣ ସେନ୍‌ ‘ବନ୍ଦେ ମାତରମ୍‌’କୁ ପାଞ୍ଚଥର ଗାଇଛନ୍ତି। କବି ସରଳାଦେବୀ ଚୌଧୁରାଣୀ ବନାରସ କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ୍‌ ଗାନକରି ଉପସ୍ଥିତ କର୍ମୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ, ୧୯୦୭ ମସିହାରେ ଭାରତବର୍ଷର ମୁକ୍ତି ଆନ୍ଦୋଳନକୁ ତୀବ୍ର କରିବାପାଇଁ ଏକ ‘ପତାକା’ର ପରିକଳ୍ପନା କରାଗଲା। ପତାକାର ମଝିରେ ଲେଖାଗଲା ‘ବନ୍ଦେ ମାତରମ୍‌’। ବିପ୍ଳବୀ ସଂଗ୍ରାମୀ ସୁଭାଷ ବୋଷଙ୍କର ବିପ୍ଳବର ଧ୍ୱନି ସାଜିଲା ବନ୍ଦେ ମାତରମ୍‌।
ସ୍ବାଧୀନତାର ବିଶାଳ ଶୋଭାଯାତ୍ରା ହେଉ, କି ସ୍ବାଧୀନତା ସଂଗ୍ରାମ ପାଇଁ ଉଦ୍ଦିଷ୍ଟ ସଭାସମିତି ହେଉ, ସବୁଠି ପ୍ରତିଧ୍ୱନିତ ହୋଇଉଠିଲା ବନ୍ଦେ ମାତରମ୍‌ର ସ୍ଲୋଗାନ। ଏ ସ୍ବରର ନିନାଦରେ ଥରିଉଠିଲା ବ୍ରିଟିଶ ସରକାରର ଛାତି। ଫଳତଃ ଏ ଗୀତ ଓ ସ୍ଲୋଗାନ୍‌କୁ ନିଷିଦ୍ଧ କରାଗଲା। ଏହାକୁ ଅମାନ୍ୟ କରୁଥିବା ଲୋକମାନଙ୍କୁ କାରାବରଣ କରିବାକୁ ପଡ଼ୁଥିଲା।
ଲାହୋରର ଆର୍ଯ୍ୟ ପ୍ରିଣ୍ଟିଂ ପ୍ରେସ୍‌ ଓ ଡେରାଡୁନର ଭାରତୀୟ ପ୍ରେସ୍‌ରେ ୧୯୨୯ ମସିହାରେ ‘କ୍ରାନ୍ତି ଗୀତାଞ୍ଜଳି’ ନାମକ ବହିଟିଏ ପ୍ରକାଶ ପାଇଲା। ବହିର ଏଗାର ନମ୍ବର ପୃଷ୍ଠାରେ ମାତୃବନ୍ଦନା ଶିରୋନାମାରେ ବନ୍ଦେ ମାତରମ୍‌ର ପ୍ରଥମ ଦୁଇପଦ ସ୍ଥାନ ପାଇଲା। ପରପୃଷ୍ଠାରେ ବହିର ଲେଖକ କାକୋରୀର ପ୍ରସିଦ୍ଧ ଦେଶପ୍ରେମୀ ପଣ୍ଡିତ ରାମପ୍ରସାଦ ବିସମିଲଙ୍କ ଦ୍ୱାରା ସଂଯୋଜିତ ଏହି ଗୀତର ଗଜଲ ଯୋଡ଼ି ହୋଇଗଲା।
କେବଳ ସେତିକି ନୁହେଁ, ଏ ସଙ୍ଗୀତର ସମ୍ମୋହନ ଶ୍ରୀଅରବିନ୍ଦଙ୍କ ଚେତନାକୁ ମଧ୍ୟ ଆନ୍ଦୋଳିତ କରିଛି। ସେ ପ୍ରକାଶ କରିଛନ୍ତି ପତ୍ରିକା ‘ବନ୍ଦେ ମାତରମ୍‌’। ୧୯୦୫ ବଙ୍ଗଭଙ୍ଗ ଆନ୍ଦୋଳନ ସମୟରେ ବନ୍ଦେ ମାତରମ୍‌ର ମନ୍ତ୍ର ହୋଇଛି ବଙ୍ଗଯୋଡ଼ଣର ଅଣୁଘଟକ, ବିପ୍ଳବର ବୀଜମନ୍ତ୍ର।
ଜୀତାୟତାର ମନ୍ତ୍ରରେ ଉଦ୍‌ବୁଦ୍ଧ ‘ବନ୍ଦେ ମାତରମ୍‌’ ଜାତୀୟ ସଙ୍ଗୀତ ହେବା ଉଚିତ ବୋଲି ଭାରତୀୟ ଜାତୀୟ କଂଗ୍ରେସରେ ମତ ପ୍ରକାଶ ପାଇଲା। ସେତେବେଳେ ଅର୍ଥାତ୍‌ ୧୯୫୦ ଜାନୁୟାରୀ ୨୪ରେ ସମ୍ବିଧାନ ସଭାରେ ପୌରୋହିତ୍ୟ କରୁଥାନ୍ତି ରାଜେନ୍ଦ୍ର ପ୍ରସାଦ। ମାତ୍ର ସେତେବେଳକୁ ରବୀନ୍ଦ୍ରଙ୍କ ‘ଜନ-ଗଣ-ମନ’ ଜାତୀୟ ସଙ୍ଗୀତର ମାନ୍ୟତା ପାଇସାରିଥିବାରୁ ଏହି ମତ ଆଉ ଆଗକୁ ଯାଇପାରିଲା ନାହିଁ। ମାତ୍ର ରାଜେନ୍ଦ୍ର ପ୍ରସାଦଙ୍କ ମନ୍ତବ୍ୟ ଥିଲା- ଶବ୍ଦ ଓ ସୁରକୁ ନେଇ ସଂଯୋଜିତ ଜନ-ଗଣ-ମନ, ଆମ ଜାତୀୟତାର ପ୍ରତୀକ ହୋଇଛି ସତ ମାତ୍ର ବନ୍ଦେ ମାତରମ୍‌, ଜାତୀୟତା ଗଢ଼ଣରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଭୂମିକା ନିର୍ବାହ କରିଛି, ତାହା ଜନ-ଗଣ-ମନର ଅନୁରୂପ ଅଭିବ୍ୟଞ୍ଜନା। ଏକଥା ଭାରତୀୟ ସମ୍ବିଧାନର Vol.XII, ୨୪ା୧ା୧୯୫୦ରେ ଲିପିବଦ୍ଧ ହୋଇଛି।
ତେବେ ‘ବନ୍ଦେ ମାତରମ୍‌’ର ଯେଉଁ ଦୁଇଟି ପଦକୁ ଆମେ ପ୍ରାୟତଃ ଗାଉ, ତାହା ବଙ୍କିମଚନ୍ଦ୍ରଙ୍କ ଲେଖନୀର ପ୍ରଥମ ଦୁଇଟି ପଦ। ଏହି ଦୁଇପଦ ପରେ ଆଉ ଚାରିପଦ ରହିଛି। ମାତ୍ର ସେଗୁଡ଼ିକରେ ହିନ୍ଦୁଦେବୀ ଦୁର୍ଗାଙ୍କର ସ୍ତୁତିଗାନର ସାମଞ୍ଜସ୍ୟ ଥିବାରୁ ମାତୃବନ୍ଦନାରୁ ସମ୍ଭବତଃ ବାଦ୍‌ପଡ଼ିଛି। ବଙ୍କିମଚନ୍ଦ୍ରଙ୍କର ଏହି କାଳଜୟୀ ଶବ୍ଦକୁ ସୁରରେ ସଜେଇଛନ୍ତି ଯଦୁନାଥ ଭଟ୍ଟାଚାର୍ଯ୍ୟ। ଯେଉଁ କାଳଜୟୀ ଜାତୀୟତାବାଦର ମନ୍ତ୍ରଧ୍ୱନି ସମଗ୍ର ଭାରତବର୍ଷର ସର୍ବକାଳୀନ ସ୍ପନ୍ଦନ ହୋଇରହିଛି ଓ ରହିଥିବ ଯାବତ୍‌ ଚନ୍ଦ୍ରାର୍କ, ତାହାର ସର୍ଜନଭୂମି ଆମ ଓଡ଼ିଶା, ଏହା ଓଡ଼ିଶା ବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ କମ୍‌ ଗୌରବର କଥା ନୁହେଁ।
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri