ବନ୍ଦ କାର୍‌ ଭିତରୁ ଅଣନିଃଶ୍ୱାସୀ ହୋଇ ଶିଶୁକନ୍ୟା ଉଦ୍ଧାର ଘଟଣା: ମା’ବାପାଙ୍କ ନାମରେ ମାମଲା ରୁଜୁ କଲା ପୋଲିସ, କରୁଛି ପଚରାଉଚରା

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବନ୍ଦ କାର୍‌ରୁ ଦେଢ଼ବର୍ଷର ଶିଶୁକନ୍ୟା ଅଣନିଃଶ୍ୱାସୀ ଭାବେ ଉଦ୍ଧାର ହେବା ଘଟଣାରେ ଟାଉନ ଥାନା ପୋଲିସ ବୁଧବାର ନିଜ ଆଡ଼ୁ ମାମଲା ରୁଜୁ କରିଛି। ଥାନାରେ କେସ ନଂ-୩୬୯/୧୯, ଦଫା ୩୪୨,୩୪ ଓ ୭୫ ଜୁଭେନାଇଲ୍‌ ଜଷ୍ଟିସ୍‌ କେଆର ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌ ଆକ୍ଟ ୨୦୧୫ରେ ମାମଲା ରୁଜୁ ହୋଇଛି। ବାପା ପ୍ରଦୀପ କୁମାର ମିଶ୍ର, ମା’ ସୋନାଲି ମିଶ୍ରଙ୍କ ନାମରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପୋଲିସ ମା’ବାପା ଏବଂ ଚିକିତ୍ସାଳୟର ସୁରକ୍ଷାକର୍ମୀଙ୍କୁ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ମଙ୍ଗଳବାର ମଧ୍ୟାହ୍ନରେ ଶିଶୁକନ୍ୟାଟି ବନ୍ଦ କାର୍‌ରେ ଫସି ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ସୁରକ୍ଷାକର୍ମୀ ସୁବାସ ଚନ୍ଦ୍ର ପରିଡ଼ା ଏବଂ ରେଡକ୍ରସ କର୍ମଚାରୀ କବିତା ବେହେରା ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ କାଠଗଡ଼ା ଅଞ୍ଚଳର ଉକ୍ତ ଦମ୍ପତି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଚିକିତ୍ସାଳୟର ଇସିଜି ପ୍ରକୋଷ୍ଠକୁ ଯାଇଥିଲେ। ସେମାନେ କାର୍‌ ଭିତରେ ଶିଶୁକନ୍ୟାକୁ ବସାଇ କାଚ ବନ୍ଦ କରି ଗାଡ଼ିକୁ ଲକ୍‌ କରିଦେଇଥିଲେ। ସେମାନଙ୍କର ଫେରିବାରେ ବିଳମ୍ବ ହୋଇଥିଲା। ଫଳରେ ଶିଶୁକନ୍ୟାଟି ଅଣନିଃଶ୍ୱାସୀ ହୋଇପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିଲେ।

Share