ବନ୍ଦ ଘରୁ ଅଧ୍ୟାପକଙ୍କ ଗଳିତ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ହଞ୍ଜିଳିକାଟୁ, ୮ା୮(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ମାଣିକନଗର ଅଞ୍ଚଳର ଏକ ବନ୍ଦ ଘରୁ ଗୁରୁବାର ପୂର୍ବାହ୍ନରେ ଜଣେ ଅଧ୍ୟାପକଙ୍କ ଗଳିତ ଶବକୁ ହିଞ୍ଜିଳି ପୋଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ସେ ହେଲେ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ରାଜେନ୍ଦ୍ର କୁମାର ଭୂୟାଁ(୨୯)। ରାଜେନ୍ଦ୍ରଙ୍କ ନିଜ ଘର ଭଦ୍ରକ ଜିଲା ନରସିଂହ ପ୍ରସାଦ ଥାନା ଦୋସିଙ୍ଗା ଅଞ୍ଚଳରେ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ମାଣିକ ନଗରରେ ଏକ ଘରର ଉପର ମହଲାରେ ଅଧ୍ୟାପକ ରାଜେନ୍ଦ୍ର ଭଡ଼ାରେ ରହୁଥିଲେ। ଗୁରୁବାର ଉକ୍ତ ଘର ଭିତର ପଟୁ ବନ୍ଦ ଥିବାବେଳେ ପ୍ରବଳ ଗନ୍ଧ ବାହାରିଥିଲା। ଘର ମାଲିକ ଏ ନେଇ ପୋଲିସରେ ଖବର ଦେଇଥିଲେ। ପରେ ପୋଲିସ ମାଜିଷ୍ଟ୍ରେଟ ତଥା ତହସିଲଦାର ଗୋପୀନାଥ କୁଅଁରଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ରାଜେନ୍ଦ୍ରଙ୍କ ମୃତ ଶରୀରକୁ ଜବତ କରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ପ୍ରାୟ ୨/୩ ତଳେ ରାଜେନ୍ଦ୍ର ଏପରି କାଣ୍ଡ କରିଥିବା ପୋଲିସ ଅନୁମାନ କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଘଟଣା ନେଇ ପୋଲିସ ପକ୍ଷରୁ ରାଜେନ୍ଦ୍ରଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି। ପରିବାର ସଦସ୍ୟ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ଓ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି।